ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର, ୧୨।୬(ଡି.ଏନ୍‌.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ ଅନ୍ୟ ଖେଳକୁ ବାରଣ କରାଯାଇଛି। ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଶୁକ୍ରବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଦନୁଯାୟୀ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କୌଣସି ଅନୁଷ୍ଠାନ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଏକାଠି କରିପାରିବେନାହିଁ। ଏଥିସହ ୧୬ ତାରିଖ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଗାର୍ମେଣ୍ଟସ ଓ ଷ୍ଟେସନାରୀ ଦୋକାନ ସକାଳ ୭ ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉଲଂଘନ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଛନ୍ତି।

Share