ଗଞ୍ଜାମରେ ପୁଣି ୩୩ କରୋନା ସଂକ୍ରମିତ: ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଲା

ବ୍ରହ୍ମପୁର ଅଫିସ,୮ା୬: ପ୍ରବାସୀ ଫେରନ୍ତାଙ୍କ ପାଇଁ ଜିଲାରେ କରୋନା ଭୂତାଣୁ ଜନିତ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ରେକର୍ଡ ବୃଦ୍ଧି ଘଟୁଛି। ସୋମବାର ଜିଲାରେ ପୁଣି ୩୩ ନୂତନ ସଂକ୍ରମିତଙ୍କୁ ନେଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଜିଲାରେ ସମୁଦାୟ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୨୧୭ ଜଣ ଜିଲାର ବିଭିନ୍ନ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ଲାଗି ଗଞ୍ଜାମରେ ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଅନ୍ୟପଟେ ଜିଲାରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର, ଆଶା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେଉଛନ୍ତି।