ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରବିବାର ରାତିରେ ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇ କୋହଳକୁ ହଟାଇ ଦିଆଯାଇଛି। ପୂର୍ବଭଳି ଲକ୍‌ଡାଉନ ବଳବତ୍ତର ରହିବା ସହ ସକାଳ ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂଆ ନିର୍ଦ୍ଦେଶନାମା ଜାରିକରିଛନ୍ତି।
ପନିପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଆଦି ଅତ୍ୟାବଶ୍ୟକ ଦୋକାନ ପୂର୍ବଭଳି ଖୋଲା ରହିବ। ସେହିପରି ଔଷଧ ଦୋକାନ ଦିନ ରାତି ଖୋଲାରହିବ। ବିଭିନ୍ନ ଗ୍ୟାରେଜ, ପାର୍ଟସ ଦୋକାନ ମଧ୍ୟ ସକାଳ ୭ରୁ ୧୨ ଟା ପର୍ଯ୍ୟନ୍ତ ଖୋଲିବ। ତେବେ ଗାଁ ଗହଳିରୁ ଅବରୋଧ ହଟାଯିବ ଏବଂ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ କଟକଣାମୁକ୍ତ ରହିବ ବୋଲି ଜଣାପଡ଼ିଛି।
ପ୍ରାଥମିକ ସେବା ସମବାୟ ସମିତି ଖୋଲା ରହିବ। ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ। ନରେଗା ଓ ଉର୍ଣ୍ଣୟନମୂଳକ ନିର୍ମାଣ କାର୍ଯ୍ୟ ଚାଲୁରହିବ। ବିଡିଓମାନେ ମାସ୍କ କ୍ରୟକରି ନରେଗା ଶ୍ରମିକଙ୍କୁ ଦେବେ। ଦୁଇ ଚକିଆ ଯାନରେ କେବଳ ଚାଳକ ହିଁ ଯାତାୟତ କରିପାରିବେ। ସାମାଜିକ ଦୂରତ୍ୱ ଅଧିକ କଡାକଡି କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଦୋକାନୀ ପାଣି, ସାବୁନ ଓ ସାନିଟାଇଜର୍‌ ରଖିବା ସହ ଓ ଗରାଖଙ୍କୁ ବିକ୍ରୟ ପାଇଁ ମାସ୍କ ରଖିବେ। ଦୋକାନ ସମ୍ମୁଖରେ ଛଅ ଫୁଟ ଲେଖାଏ ଦୂରତ୍ୱରେ ଗରାଖଙ୍କ ପାଇଁ ସ୍ଥାନ ଚିହ୍ନଟ କରିବେ। ଦୋକାନରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ। ଯେଉଁ ଦୋକାନରେ ଗହଳି ଦେଖିବାକୁ ମିଳିବ ପ୍ରଶାସନ ତାହାକୁ ଅବିଳମ୍ବେ ସିଲ୍‌ କରିବ। ଚା’ ଦୋକାନ, ପାନ ଦୋକାନ, ଗୁଟ୍‌ଖା ଦୋକାନ, ଗୁପ୍‌ଚୁପ ଦୋକାନ, ଠେଲାଗାଡି ଜଳଖିଆ ଆଦି ବନ୍ଦରହିବ।

Share