ଗଞ୍ଜାମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ଦୀପ ଜାଳି ପ୍ରାର୍ଥନା, ସରପଞ୍ଚ ସଫାକଲେ ପାଇଖାନା

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ ମଧ୍ୟ ଗାର୍ଡେନିଂ, ପରିସର ସଫେଇ, ଜାତୀୟ ସଂଗୀତ ଗାନ ସହ ସନ୍ଧ୍ୟାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି। ଛୋଟ ପିଲାଙ୍କୁ ଖେଳନା ମଧ୍ୟ ଦିଆଯାଉଛି। ଏଥିପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଗୁଡ଼ିକରେ ପୁରା ଘର ପରିବେଶ ଦେଖିବାକୁ ମିଳୁଛି। ଅପରପକ୍ଷରେ ଶୁକ୍ରବାର ସାରେ ପୁରୁଷୋତ୍ତମପୁର ବ୍ଲକ ଚିଙ୍ଗୁଡ଼ିଘାଇ କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ତେବାସୀମାନେ ଦୀପ ଜାଳି ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଏଥିରେ ଏମାନଙ୍କୁ ପ୍ରଶାସନ ସହଯୋଗ କରିଥିଲା। ଅପରପକ୍ଷରେ ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ବଚ୍ଛ ନିର୍ମଳା ପାଇଁ ନିଜେ ପାଇଖାନା ସଫା କରିବା ସହ ପରିବେଶକୁ ଝାଡୁ ଧରି ସଫା କରିଛନ୍ତି। ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

Share