ଛତ୍ରପୁର,୨୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ, ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୋଲସରା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ଏମ୍ପି ପ୍ରମିଳା ବିଷୋୟୀ, ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆର୍ଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ କୃଷି ସମବାୟ, ସ୍ବାସ୍ଥ୍ୟ, ସମାଜ ମଙ୍ଗଳ, ଗ୍ରାମ୍ୟ ଜଳପରିମଳ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ ପ୍ରମୁଖ ବିଷୟରେ ଆଲୋଚନା କରାଯାଇଛି। ଜିଲାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ଏଯାବତ୍ କାହିଁକି ମିଳିନି ସେ ନେଇ ବିଧାୟକମାନେ ଉଦ୍ବେଗ ପ୍ରକାଶ କରି ତୁରନ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ କହିଛନ୍ତି। ଜିଲାରେ ଚାଷୀମାନେ ଏଯାବତ୍ ଧାନ ବିକିପାରି ନଥିବା ବେଳେ କାହିଁକି ଆନ୍ଧ୍ରକୁ ବିକୁଛନ୍ତି ସେନେଇ ପ୍ରସଙ୍ଗ ଉଠିଛି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ