ଗଞ୍ଜାମ ଜିଲାପାଳଙ୍କ ଆଉ ଏକ ପଦକ୍ଷେପ: ନିଜେ ରକ୍ତ ଦେବାପରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିର କଲେ ଶୁଭାରମ୍ଭ

ଶେରଗଡ,୧୭।୪(ଡି.ଏନ୍‌.ଏ.): ବିଭିନ୍ନ ଯୋଜନାର ସଫଳ ରୁପାୟନ ଠାରୁ ଆରମ୍ଭ କରି କରୋନା ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଗଞ୍ଜାମ ଜିଲା। ଏ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ। କରୋନା ଆରମ୍ଭ ହେବା ଠାରୁ ଏହାର ମୁକାବିଲା ଲାଗି ଜିଲାପାଳ କୁଲାଙ୍ଗେ ସକାଳୁ ରାତି ପର୍ଯ୍ୟନ୍ତ ପ୍ରସ୍ତୁତ ରହିଛନ୍ତି। ଏହି କ୍ରମରେ ଶୁକ୍ରବାର ଶେରଗଡ଼ ବ୍ଳକ ଅଲାରିଗଡ଼ ପଞ୍ଚାୟତରେ ରକ୍ତ ସଂଗ୍ରହ ଭ୍ରାମ୍ୟମାଣ ଭେନ୍‌କୁ ନିଜେ ରକ୍ତ ଦାନକରିବା ସହ ଉକ୍ତ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ଜିଲାର ସମସ୍ତ ବ୍ଲକରେ ବୁଲି ରକ୍ତ ସଂଗ୍ରହ ଅଭିଯାନ ଜାରି ରଖିବ। ଦରକାର ପଡିଲେ ବିଡିଓମାନେ ନିଜ ବ୍ଲକର ସମସ୍ତ ପଞ୍ଚାୟତରେ ରକ୍ତଦାନ ଶିବିରକରି ଏହାକୁ ଜାରିରଖିବେ। ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଏହା କହିଛନ୍ତି। ଆହୁରି ମଧ୍ୟ ସେ କହିଥିନ୍ତି ଯେ, ବର୍ତ୍ତମାନ କରୋନା ସତର୍କତାରେ ସମସ୍ତଙ୍କୁ ରହିବାକୁ ପଡ଼ିବ। ସମସ୍ତେ ମାସ୍କ ପିନ୍ଧି ଘରେ ରୁହନ୍ତୁ। ଅଯଥାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
ବହୁଦିନ ହେବ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଏକ ଭ୍ରାମ୍ୟମାଣ ଗାଡି ରକ୍ତ ସଂଗ୍ରହ ପାଇଁ ଆସି ପଡିରହିଥିଲା ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲାପାଳଙ୍କ ଦୃଷ୍ଟି ଏହି ଭେନ୍‌ ଉପରେ ପଡିଥିଲା। ଜିଲାପାଳଙ୍କ ହସ୍ତକ୍ଷେପ ପରେ ଏହି ଗାଡ଼ିର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ଶୁକ୍ରବାର ଦିନ ଏହି ଗାଡିକୁ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ବିଡିଓ ସୁରଞ୍ଜର କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡା, ଅଙ୍ଗନଓ୍ବାଡି ସିଡିପିଓ ଜୟନ୍ତି ପାଟପିଙ୍ଗୁଆ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ସାରସ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୨୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

Share