ଗଞ୍ଜାମ ଜିଲାପାଳଙ୍କ ନିଆରା ପଦକ୍ଷେପ: ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ମା’ଙ୍କୁ ମାଗଣା ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୨।୨(ଡି.ଏନ୍‌.ଏ.): ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖଠାରୁ ଆରମ୍ଭ ହେବ। ଶନିବାର ଯାତ୍ରାର ସୁପରିଚାଳନା ଲାଗି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମା’ଙ୍କ ପୀଠକୁ ଯାଇ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରଛନ୍ତି। ଯାତ୍ରାରେ ଭକ୍ତ ଓ ମୁଣ୍ଡନ ଲାଗି ଆସୁଥିବା ଶିଶୁ ଏବଂ ମହିଳାଙ୍କ ସୁବିଧା ଲାଗି ବିଭିନ୍ନ ଯୋଜନା କରିଛନ୍ତି । ଏହି ସମୟରେ ଜିଲାପାଳ ଏକ ନିଆରା ପଦକ୍ଷେପ ନେଇ କହିଛନ୍ତି, କିଏ କ’ଣ କାହା ମା’ଙ୍କୁ ଟଙ୍କା ଦେଇ ଦେଖେ। ଭକ୍ତମାନେ ହେଉଛନ୍ତି ମା’ଙ୍କ ସନ୍ତାନ। ତେଣୁ ଯାତ୍ରା ସମୟରେ ମା’ଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଏଣିକି ମାଗଣାରେ ଦର୍ଶନ କରିବେ, ଯାହାକି ଦୀର୍ଘ ଦିନରୁ ଦର୍ଶନ ବାବଦ ଟିକେଟ ମାତ୍ର ୨ ଟଙ୍କା ରହିଥିବା ବେଳେ ଚଳିତବର୍ଷ ଆଉ ଭକ୍ତଙ୍କୁ ଦର୍ଶନ ପାଉଣା ଦବାକୁ ପଡିବ ନାହିଁ । ମାତ୍ର ସ୍ବତନ୍ତ୍ର ଦର୍ଶନ ବାବଦରେ ରହିଥିବା ଟିକେଟ ମୂଲ୍ୟ ୫୦ ଟଙ୍କା ବଦଳରେ ଶହେ ଟଙ୍କା ଲେଖାଏଁ କରିବା ଲାଗି ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଏପରିକି ଦୂରଦୂରାନ୍ତରୁ ଶିଶୁଙ୍କୁ ନେଇ ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ବତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ଲକ୍ଷ୍ୟ ରଖାଯାଇଥିବା ବିଷୟରେ ଆଗାମୀ ବୈଠକରେ ଜଣାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ମନ୍ଦିର ପାହାଡ଼ ଉପର କାର୍ଯ୍ୟ ଚାଲିଥିବା ବେଳେ ପରିସର ସଂକୀର୍ଣ୍ଣ ରହିଥିବା ହେତୁ ଶିଶୁଙ୍କ ମୁଣ୍ଡନ ଚଳିତ ଯାତ୍ରାରେ ପାହାଡ ତଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯିବ।