Categories: ଗଞ୍ଜାମ

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା ଆସନରୁ ୧୨ଟିରେ ଶଙ୍ଖ ଦଳ ବିଜୟ ବାନା ଉଡ଼ାଇଛି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଅପରପକ୍ଷରେ ଭାଜପାର ଶକ୍ତି ବୃଦ୍ଧି ପାଇଛି ଓ ନିର୍ବାଚନ ଇତିହାସରେ ଏହି ଜିଲାରେ ପ୍ରଥମ କରି କଂଗ୍ରେସକୁ ପଛରେ ପକାଇ ଭାଜପା ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ତେବେ ଏହି ଜିଲାରେ ଭାଜପା ଖାତା ଖୋଲି ପାରିନାହିଁ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଲଗାତର ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମଥର ନିର୍ବାଚିତ ହୋଇଥିବା ବେଳେ ଦିଗପହଣ୍ଡି ସେଗମେଣ୍ଟରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୭ମ ଥର ନିର୍ବାଚିତ ହୋଇଛନ୍ତି। ସେହିପରି ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ୬ଷ୍ଠ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ମନ୍ତ୍ରୀ ଉଷା ଦେବୀ। ଗୋପାଳପୁର ଆସନରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଲଗାତର ଭାବେ ୩ ଥର ଲେଖାଏ ଜିତି ଉଭୟ ହାଟ୍ରିକ ଅର୍ଜନ କରିଛନ୍ତି। ପୋଲସରାରୁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି।
ବିଜେଡିର ନୂଆ ପ୍ରାର୍ଥୀ ବ୍ରହ୍ମପୁରରୁ ବିକ୍ରମ କୁମାର ପଣ୍ଡା, ଛତ୍ରପୁରର ସୁବାସ ଚନ୍ଦ୍ର ବେହେରା, ଆସିକାରୁ ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ଲତିକା ପ୍ରଧାନ ଓ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଲଢ଼ୁଥିବା ବିଜେଡିର ୫ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪ ନିର୍ବାଚିତ ହୋଇଥିବା ବେଳେ କେବଳ ସାନଖେମୁଣ୍ଡି ଆସନରୁ ନନ୍ଦିନୀ ଦେବୀ ପରାଜିତ ହୋଇଛନ୍ତି। କଂଗ୍ରେସରୁ ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବା ବେଳେ ଭାଜପାରୁ ଦୁଇ ମହିଳା ପ୍ରାର୍ଥୀ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଓ ଖଲ୍ଲିକୋଟରୁ ଭାରତୀ ବେହେରା ପରାଜିତ ହୋଇଛନ୍ତି। ଆସିକା ଲୋକ ସଭା ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।