ଗଞ୍ଜେଇ ଚେରାଚାଲାଣ ଧରପଗଡ ବେଳେ ଗୁଳିଚାଳନା: ୧୧୨୩ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରୁକୋଣ୍ଡା, ୨୩ା୭(ଡି.ଏନ.ଏ)- ମାଲକାନଗିରି ଜିଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ମାଲକାନଗିରି ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରୁ ନାହିଁ। ଗତ ରବିବାର ରାତିରେ କାଉଡିରେ ଭାର କରି ଗଞ୍ଜେଇ ଚୋରା ଚାଲାଣ ବେଳେ ଓର୍କେଲ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ଧାରର ସୁଯୋଗ ନେଇ ଅନ୍ୟମାନେ ଖସିଯାଇଛନ୍ତି। ଗିରଫ ୨ ବ୍ୟକ୍ତି ହେଲେ ନବରଙ୍ଗପୁରର ସୁକଦେ ରନ୍ଧାରୀ (୩୦) ଓ କୋରାପୁଟ ଜିଲା କୋଟପାଡର ଖଗପତି ଭତ୍ରା(୪୦)। ମୋଟ ୧୧୨୩ କିଲୋ ଗଞ୍ଜେଇ ଜବତ ହୋଇଛି। ଜଙ୍ଗଲ ମଧ୍ୟରୁ ୨୩ଟି ହାଣ୍ଡି, ୪୭ଟି କାଉଡି, ୫ ଟି ଲାଠି, ରଶି ସହ ୮ ଏମ୍‌ଏମ୍‌ର ୨ଟି ଅଫୁଟା ଗୁଳି ଜବତ କରାଯାଇଛି।

ଖବରରୁ ଜଣାପଡିଛି ଗୁମ୍ମା ନିକଟସ୍ଥ ଖତଲାଗୁଡା ଜଙ୍ଗଲ ଦେଇ କେତେକ ବ୍ୟକ୍ତି କାଉଡି ଭାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ଓରକେଲ ଥାନାଧିକାରୀ ଜଗଦୀଶ ବାରା ସୂଚନା ପାଇଥିଲେ। ସେ ଏକ ୯ ଜଣିଆ ଟିମ୍‌ ଗଠନ କରି ଚଢାଉ କରିଥିଲେ। ରାତିର ଅନ୍ଧାରରେ ୨ ଘଣ୍ଟା ତଲାସୀ କରିବା ପରେ ଚୋରା ଚାଲାଣକାରୀଙ୍କ ସନ୍ଧାନ ପାଇଥିଲେ। ୬୦ରୁ ଉଦ୍ଧର୍‌ବ କାଉଡ଼ିଆ ଗଞ୍ଜେଇ ଧରି ଧାଡି ବାନ୍ଧି ଆସୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପ୍ରଥମେ କାଉଡ଼ିଆମାନେ ପୋଲିସ ଉପରକୁ ଗୁଳିଚାଳନା କରିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାଉଡ଼ିଆଙ୍କୁ କାବୁ କରିବା ପାଇଁ ପୋଲିସ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରୁ କାଉଡ଼ିଆମାନେ ଛତ୍ରଭଙ୍ଗ ଦେଇଥିଲେ। ଅନ୍ଧାରର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ଭିତରେ କାଉଡିଆମାନେ ଖସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ କାବୁ କରିଥିଲା। ଗିରଫ ସୁକଦେ ଓ ଖଗପତିଙ୍କ ନାମରେ ୨୦(ବି)(୨)(ସି)/୨୭(ଏ),୧୮୬, ୩୨୩, ୩୫୩, ୩୦୭,୨୫/୨୭ ଦଫାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଆମିଳିବେଡାଠାରୁ ଗୁପ୍ତେଶର ଦେଇ ରାୟପୁରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିଲା ବୋଲି ପଚରାଉଚରା ବେଳେ କହିଥିବା ଥାନା ଅଧିକାରୀ ବାକା ପ୍ରକାଶ କରିଛନ୍ତି।

Share