ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି ପୋଲିସ ଚଢ଼ାଉ କରିବା ଜାଣି ନିଶା ମାଫିଆ ଦୋକାନରେ ସ୍ତ୍ରୀକୁ ରଖି ଦେଇଥିଲେ। ଫଳରେ ପୋଲିସ ଦୋକାନ ତଲାସ କରିବାକୁ ଯିବାବେଳେ ମହିଳା ଜଣଙ୍କ ଅଟକାଇବା ସହ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କୁ ମାଡ଼ମାରିବାକୁ ଉଠି ଆସିଥିଲେ। ଏହାଦେଖି ସ୍ଥାନୀୟ କେତେଜଣ ମହିଳା ତାଙ୍କୁ ସମର୍ଥନ ଦେଇ ଥାନା ଅଧିକାରୀଙ୍କୁ ଏକ ପ୍ରକାର ଘେରାଉ କରି ଦେଇଥିଲେ। ଶେଷରେ ଥାନା ଅଧିକାରୀ କୌଣସିପ୍ରକାର କିଛି ବାଟ ପାଇ ଇନ୍‌ଫୋସିଟି ଥାନା ଅଧିକାରୀଙ୍କୁ ଫୋନ୍‌ କରିଥିଲେ। ଖବରପାଇ ଇନ୍‌ଫୋସିଟି ଥାନାଧିକାରୀ ଏବଂ ୩ଟି ପିସିଆର ଭ୍ୟାନ୍‌ ଯାଇ ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏହାସହ ନିଶା ବିକ୍ରି କରୁଥିବା ୨ ମାଫିଆଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଛି। ଏହାସହ ସେମାନଙ୍କ ଦୋକାନରୁ ଗଞ୍ଜେଇ, ସିଗାରେଟ ଏବଂ ବ୍ରାଉନ ସୁଗାର ଜବତ କରିଛି।
ସୂଚନା ଅନୁଯାୟୀ, ଏଟିଏମ୍‌ ଛକରେ ଜଣେ ନିଶା ମାଫିଆ ଗ୍ରୋସେରି ଦୋକାନା କରିଥିବା ବେଳେ ଅନ୍ୟଜଣେ ପାନ ଦୋକାନ କରି ବ୍ରାଉନସୁଗାର ଏବଂ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ପୋଲିସ ଚଢ଼ାଉ କରିବାକୁ ଗଲେ ନିଶା ମାଫିଆ ସ୍ତ୍ରୀକୁ ଲଗେଇ ପୋଲିସକୁ ବିଦା କରିଦିଏ। ହେଲେ ଗୁରୁବାର ଦୁଇ ବ୍ୟବସାୟୀ ବ୍ରାଉନ ସୁଗାର ଆଣିଥିବା ଥାନାଧିକାରୀ ଖବରପାଇ ପୋଲିସ କର୍ମଚାରୀ ସହ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲେ। ହେଲେ ପୂର୍ବରୁ ପୋଲିସ ଆସିବା ଜାଣି ନିଶା ମାଫିଆ ନିଜର ସ୍ତ୍ରୀକୁ ଦୋକାନରେ ବସାଇ ଦେଇଥିଲେ। ସବୁଥର ପରି ପୋଲିସ ଯାଞ୍ଚ କରିବା ପାଇଁ ଦୋକାନ ଭିତରକୁ ଯିବା ସମୟରେ ମହିଳା ଜଣଙ୍କ ଉଗ୍ର ହୋଇ ପୋଲିସମାନଙ୍କୁ ଗାଲିଗୁଲଜ କରିଥିଲେ। ଫଳରେ ଥାନା ଅଧିକାରୀ ଇନ୍‌ଫୋସିସି ଥାନା ଅଧିକାରୀଙ୍କ ସହଯୋଗ ନେଇ ଉଦ୍ଧାର ହୋଇଥିଲେ।

Share