ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ବାଇକ୍ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି। ତାଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍ କୋର୍ଟକୁ ଚାଲାଣ କରିଛି। ସେ ହେଲେ ଗଜପତି ଜିଲା ମୋହନା ଥାନା କିର୍ତ୍ତିଗି ଗ୍ରାମର ଜିତେନ୍ଦ୍ର ପାଇକ। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅବକାରୀ ମାମଲା ନଂ.୧୮୧/୨୪-୨୫। ଖବରରୁ ଜଣାପଡିଛି, ଗୁରୁବାର ମଧ୍ୟାହ୍ନରେ ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଅବକାରୀ କର୍ମଚାରୀ ଗାଡ଼ିମୋଟର ଯାଞ୍ଚ କରୁଥିବା ବେଳେ ଜିତେନ୍ଦ୍ରଙ୍କ ବାଇକ୍ (ନଂ.ଓଆର୦୭ଟି -୫୦୪୩)କୁ ଯାଞ୍ଚ କରିଥିଲେ। ସେଥିରୁ ଗଞ୍ଜେଇ ମିଳିବା ପରେ ବାଇକ୍ ଓ ଗଞ୍ଜେଇ ଜବତ କରାଯାଇଥିଲା। ଜିତେନ୍ଦ୍ରଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରିଥିଲା। ଏହି ଗଞ୍ଜେଇ ସେ ମୋହନାରୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଜବତ ଗଞ୍ଜେଇର ପରିମାଣ ୭ କେଜି। ଏହି ଚଢ଼ାଉ ଧରପଗଡ଼ରେ ଅବକାରୀ ଏସ୍ଆଇ ଏନ୍. ତ୍ରିପତି, କନ୍ଷ୍ଟେବଲ ନୀର ବେହେରା, ଆଲଫଲତା ସାହୁ ସାମିଲ ଥିଲେ।