ନୂଆଦିଲ୍ଲୀ,୧୪ା୬: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା କରିବା ଲାଗି ଏକ ସାମାଜିକ ସୁରକ୍ଷା ପାଣ୍ଠି ଗଠନ ନିମନ୍ତେ କେନ୍ଦ୍ର ସରକାର ବିଚାର କରୁଛନ୍ତି। କୋଭିଡ୍-୧୯ ଜନିତ ଲକ୍ଡାଉନ ଯୋଗୁ କାମଧନ୍ଦା ହରାଇଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଏହାଦ୍ୱାରା ଉପକୃତ ହୋଇପାରିବେ। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀମାନେ ଏନେଇ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ଆଲୋଚନା ପର୍ଯ୍ୟାୟରେ ଥିବାରୁ ପାଣ୍ଠିର ପରିମାଣ କେତେ ହେବ ଜଣାପଡିନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଏକ ସ୍ପେଶିଆଲ ପର୍ପୋଜ୍ ଭେହିକଲ୍ (ଏସ୍ପିଭି) ଗଠନ ହୋଇପାରେ ବୋଲି କୁହାଯାଉଛି।