ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ ଅଫିସର(ଏସ୍‌ପିଓ) ୟୁନିଟର ଶୁଭାରମ୍ଭ କରାଯାଇଛି। ଗୁରୁବାର କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପିଓଙ୍କୁ ନିଯୁକ୍ତି ଦିଆଯାଇଛି। କମିଶନର ସେମାନଙ୍କୁ ସ୍ବତନ୍ତ୍ର ଟି-ଶାର୍ଟ ସହ ପରିଚୟପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଏସ୍‌ପିଓମାନେ ଅବୈତନିକ ଭାବେ ପୋଲିସକୁ ସହଯୋଗ କରିବେ।

ଏସ୍‌ପିଓମାନଙ୍କ କ୍ଷମତା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି, ଏସ୍‌ପିଓମାନଙ୍କୁ ପ୍ରଥମେ ୩ ମାସ ପାଇଁ ନିଯୁକ୍ତି ଦିଆଯାଇଛି। ପରେ ଏହି କାର୍ଯ୍ୟକାଳ ବଢ଼ିବ। ଜଣେ ପୋଲିସ କର୍ମଚାରୀଙ୍କୁ ଯାହା କ୍ଷମତା, ଏସ୍‌ପିଓଙ୍କୁ ମଧ୍ୟ ମିଳିବ। ଆବଶ୍ୟକସ୍ଥଳେ ଏସ୍‌ପିଓମାନେ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ବିଭିନ୍ନ କଲେଜର ଛାତ୍ରୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ମହିଳାଙ୍କ ଉପରେ ବଢ଼ୁଥିବା ନିର୍ଯାତନା ଉପରେ ରୋକ ଲଗାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଗତ ଡିସେମ୍ବର ୧୬ରେ ଏନେଇ ୪୮ଟି ସଂସ୍ଥାକୁ ଚିଠି ଲେଖାଯାଇଥିଲା। ଏସ୍‌ପିଓ ପଦବୀ ପାଇଁ କର୍ମଚାରୀଙ୍କୁ ଚିହ୍ନଟ କରି ଏକ ତାଲିକା ଦେବାକୁ କୁହାଯାଇଥିଲା। ବୁଧବାର ଅପରାହ୍ନ ସୁଦ୍ଧା ପ୍ରାୟ ୩୫ ଅନୁଷ୍ଠାନର ୨୫୦ରୁ ଅଧିକ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ତାଲିକା ପୋଲିସର ହସ୍ତଗତ ହୋଇଥିଲା।

Share