ଗଠନ ହେଲା ଲଘୁ ଖଣିଜ ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ବେଆଇନ ଲଘୁ ଖଣିଜ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ବୈଜ୍ଞାନିକ ପଦ୍ଧତିରେ କେଉଁ କେଉଁ ଅଞ୍ଚଳରେ ଲଘୁ ଖଣିଜ ରହିଛି, ତାହାର କିପରି ବିନିଯୋଗ କରାଯିବ, ସେ ନେଇ ନିର୍ଦ୍ଦେଶାଳୟ ଖସଡା ପ୍ରସ୍ତୁତ କରିବ। ଲଘୁ ଖଣିଜ ଲିଜ୍‌ ନେଇ ମଧ୍ୟ ନିର୍ଦ୍ଦେଶାଳୟ ଗାଇଡଲାଇନ ପ୍ରସ୍ତୁତ କରିବ। ସ୍ଥାନୀୟ ଜିଲା ପ୍ରଶାସନ ସହଯୋଗରେ ଏହିସବୁ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଏହି ନିର୍ଦ୍ଦେଶାଳୟରେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଫିସର, ୨ ଯୁଗ୍ମ ନିର୍ଦ୍ଦେଶକ, ୪ ଜଣ ଯୁଗ୍ମ/ଉପ/ସହାୟକ ସଚିବ ରହିବେ। ଏମାନଙ୍କ ବ୍ୟତୀତ ଜଣେ ମୁଖ୍ୟ ଆକାଉଣ୍ଟ ଅଫିସର, ସହାୟକ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ, ବରିଷ୍ଠ ସହାୟକ, କନିଷ୍ଠ ଖଣିଜ ଅଧିକାରୀ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିଯୁକ୍ତ ହେବେ। ବାଲି,ଗୋଡି,ମୋରମ,ପଥର ଇତ୍ୟାଦି ଲଘୁ ଖଣିଜଗୁଡିକ ନିର୍ଦ୍ଦେଶାଳୟ ଅଧୀନରେ ଆସିବ।