ଗଡ଼କୁଜଙ୍ଗରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ଲାଗି ଜନଶୁଣାଣି

ପାରାଦୀପ/ଏରସମା,୨୦।୧୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ଗଡ଼କୁଜଙ୍ଗଠାରେ ଶୁକ୍ରବାର ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପାଇଁ ମେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ୭୧ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ଚାଲିଥିବା ଏହି ଜନଶୁଣାଣିରେ କେତେକ ଲୋକ ନିଜର ମତ ରଖି ଏହାକୁ ସମର୍ଥନ କରିଥିବା ବେଳେ କେତେକେ ବିରୋଧ କରିଛନ୍ତି। କମ୍ପାନୀ ଯେଉଁ ସୁବିଧା ସୁଯୋଗ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଯୋଗାଇ ଦେବାକୁ ଚାହୁଁଛି ତାହା ଚୁକ୍ତି ମାଧ୍ୟମରେ ପ୍ରତିଶ୍ରୁତି ଦେଲେ ସମର୍ଥନ କରିବେ ବୋଲି ସେମାନେ କହିଛନ୍ତି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, କମ୍ପାନୀ ପ୍ରତିନିଧି, ୪ ପଞ୍ଚାୟତ ପ୍ରତିନିଧି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ରମେଶ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

Share