Categories: ଜାତୀୟ

ଗଡ୍‌ସେ ନା ଗାନ୍ଧିଜୀଙ୍କ ପକ୍ଷରେ: ନୀତୀଶଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରଶ୍ନ

ପାଟନା,୧୯ା୨(ପି.ଟି.): କ୍ଷମତା ପାଇଁ ଭାଜପା ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜନୈତିକ ରଣନୀତିକାର ତଥା ରାଜନେତା ପ୍ରଶାନ୍ତ କିଶୋର କଡ଼ା ସମାଲୋଚନା କରିଛନ୍ତି। ଜେଡିୟୁ ନେତା ଭାବରେ ସେ ନାଥୁରାମ ଗଡ଼୍‌ସେ ନା ମହାତ୍ମା ଗାନ୍ଧୀଙ୍କ ପକ୍ଷରେ ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଆହ୍ବାନ ଦେଇଛନ୍ତି। ଜେଡିୟୁ ନେତା ଗାନ୍ଧୀବାଦୀ ବିଚାରଧାରା ସହ ରହିପାରିଲେ ନାହିଁ। ତାହା ପରିବର୍ତ୍ତେ ସେ ଗଡ୍‌ସେଙ୍କ ସମର୍ଥକମାନଙ୍କ ପକ୍ଷ ନେଲେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି। ଜେଡିୟୁରୁ ବହିଷ୍କୃତ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଖବରଦାତା ସମ୍ମିଳନୀ।
ବିହାର ମୁଖ୍ୟମନ୍ତ୍ରୀ ଗାନ୍ଧୀନୀତି ପ୍ରତି ତାଙ୍କର ପ୍ରତିବଦ୍ଧତା ପାଳନ ନ କରିବା ଏବଂ ଭାଜପା ସହ ମେଣ୍ଟ କରିବାରୁ ତାଙ୍କ ସହିତ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା ବୋଲି ପ୍ରଶାନ୍ତ କିଶୋର ସ୍ବୀକାର କରିଛନ୍ତି। ଗାନ୍ଧୀ, ଜୟପ୍ରକାଶ ଓ ଲୋହିଆଙ୍କ ବିଚାରଧାରାରୁ କଦାପି ନିବୃତ୍ତ ହେବେନାହିଁ ବୋଲି କହୁଥିବା ନୀତୀଶଜୀ କିପରି ଗଡ୍‌ସେ ବିଚାରଧାରାର ସମର୍ଥକମାନଙ୍କ ସହ ଏକାଠି ହୋଇପାରିଲେ ବୋଲି ପ୍ରଶାନ୍ତ ପ୍ରଶ୍ନ କରିଛନ୍ତି। ଯଦି ସେ ଭାଜପାରେ ରହିବାକୁ ଚାହୁଁଛନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ, ତେବେ ଏକସଙ୍ଗେ ଉଭୟ ପକ୍ଷରେ ହୋଇପାରିବେ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।
ନୀତୀଶ କୁମାର ସରକାରଙ୍କ ବିକାଶ ମଡେଲକୁ ନେଇ ପ୍ରଶାନ୍ତ ପ୍ରଶ୍ନ ଉଠାଇଛନ୍ତି। ତାଙ୍କର ଏଭଳି ସମାଲୋଚନାରେ ଜେଡିୟୁ କ୍ଷୁବ୍ଧ ହୋଇଛି। ରାଜନୀତିରେ ବୁଡ଼ି ନ ରହି ନିଜ କାମରେ ମନ ଦେବା ପାଇଁ ଜେଡିୟୁ ତାଙ୍କୁ ପରାମର୍ଶ ଦେଇଛି। ଏବେ ତାଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ପାଇଁ କାମ କରିବାକୁ ହେବ। ବ୍ୟବସାୟକୁ ଆଗେଇନେବା ପାଇଁ ସମୟ ଦେବା ତାଙ୍କ ପାଇଁ ଭଲ ହେବ ବୋଲି ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ କହିଛନ୍ତି।

Share