ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ମାଲିକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ସାଧାରଣ ଜନତା ନିଜକୁ ସଶକ୍ତ ମନେକରିବା ଉଚିତ। ସାଧାରଣ ଜନତା ହିଁ ଗଣତନ୍ତ୍ରରେ ମାଲିକ ଏକଥା ସେମାନେ ସବୁବେଳେ ଅନୁଭବ କରିବା ଉଚିତ। ଜନତା ପ୍ରକୃତ ଗଣତାନ୍ତ୍ରିକ ପରିବେଶରେ ରହୁଥିବା ଅନୁଭବ କରିବା ଆବଶ୍ୟକ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ଲୋକସେବା ଭବନରେ ୫ ଗୁରୁତ୍ୱପୂର୍ଣ୍ଣ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଆସିଛି। ଏହି ସମସ୍ତ ବିଭାଗ ପୂର୍ବାପେକ୍ଷା ଅଧିକ ପରିବର୍ଦ୍ଧିତ ହୋଇ କାର୍ଯ୍ୟକରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ୧୨ ବିଭାଗ ମୋ ସରକାର ଅଧୀନକୁ ଆସି ସାରିଲାଣି। ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଟେଲିଫୋନରେ କଥାହୋଇ ପ୍ରତିକ୍ରିୟା ସଂଗ୍ରହ କରିଥିବା ସୂଚନା ଦେଇଥିଲେ। କୌଣସି ଅଭିଯୋଗ ପାଇବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଜନସାଧାରଣଙ୍କଠାରୁ ଫିଡ୍‌ବ୍ୟାକ୍‌ ସଂଗ୍ରହ ହିଁ ‘ମୋ ସରକାର’ କାର୍ଯ୍ୟକ୍ରମର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମର ସୁଫଳ ପାଇଁ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଏବଂ କର୍ମଶାଳାର ଗୁରୁତ୍ୱ ରହିଛି। ଏହାକୁ ପରିଚାଳନା ସମୟରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗର ଆବଶ୍ୟକତା ରହିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅଧିକାରୀମାନେ ଉପସ୍ଥିତ ଥିଲେ।

Share