‘ଗଣତନ୍ତ୍ରରେ ଭୋଟର ସବୁଠାରୁ ଶକ୍ତିଶାଳୀ’

ବ୍ରହ୍ମପୁର ଅଫିସ,୨୫।୧: ଉପଖଣ୍ଡ ଜିଲା ପ୍ରଶାସନ ପକ୍ଷରୁ ୧୦ମ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଟାଉନହଲ ପରିସରରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଡିଆରଡିଏ ପିଡି ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ଶାସନରେ ନିର୍ବାଚନରେ ଭୋଟରଙ୍କ ମତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗଣତନ୍ତ୍ର ଶାସନରେ ଭୋଟର ସବୁଠାରୁ ଶକ୍ତିଶାଳୀ। ଏଥିପ୍ରତି ନିିର୍ବାଚନ ତଥା ଭୋଟ ପରିଚୟପତ୍ର ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ ଅଧିକାରୀମନେ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବକ୍ତା ଭାବେ ଯୋଗଦେଇଥିଲେ । ସହକାରୀ ଜିଲାପାଳ ଡି . ମଲେଶ୍ୱର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୫ ଜଣ ଶ୍ରେଷ୍ଠ ବୁଥ୍‌ ଲେବେଲ ଅଫିସର(ବିଏଲଓ) ଓ ୫ ଜଣ ଶ୍ରେଷ୍ଠ ବୁଥ୍‌ ଲେବେଲ ସୁପରଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା। ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ସହକାରୀ ଜିଲାପାଳ ବିନୋଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ବୁଥ୍‌ ଲେବେଲ ଅଫିସର, ବୁଥ୍‌ ଲେବେଲ ସୁପରଭାଇଜର, ସିଡିପିଓ, ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।