ଶ୍ରୀନଗର,୧୬।୧: ଗଣତନ୍ତ୍ର ଦିବସ ଅବସରରେ କରାଯାଇଥିବା ଏକ ଆତ୍ମଘାତୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗୁରୁବାର ଗିରଫ କରାଯାଇଥିବା ୫ ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀଙ୍କୁ ପଚରାଉଚରା ସମୟରେ ଏହା ଜଣାପଡ଼ିଛି। ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଉଛନ୍ତି ଏଜାଜ୍ ଅହମ୍ମଦ୍ ଶେଖ୍, ଓମର ହମିଦ୍ ଶେଖ୍, ଇମିତୟାଜ୍ ଅହମ୍ମଦ୍ ଚିକ୍ଲା, ସାହିଲ୍ ଫାରୁକ୍ ଗୋଜରୀ ଏବଂ ନାସିର ଅହମ୍ମଦ୍ ମୀର୍। ଆତଙ୍କବାଦୀମାନେ ଜାନୁୟାରୀ ୨୬ରେ ହଜରତ୍ବଲ ଅଞ୍ଚଳରେ ୨ଟି ଗ୍ରେନେଡ୍ ମାଡ଼ କରିବାକୁ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି। ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।