ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ ଫେରିବାରେ ଲାଗିଛନ୍ତି। ଘର ଲିପାପୋଛା ହେବା ସାଙ୍ଗକୁ ନୂଆ ରଙ୍ଗ କରାଯାଇଛି। ସମସ୍ତେ ମିଳିମିଶି ନୂଆଲୁଗା ପରିଧାନ କରି ମକର ଚାଉଳ ଖାଇବା ସହ ଘରେ ଘରେ ଏହି ପର୍ବ ପାଇଁ ପିଠା ପଣା ସହ ନାନା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ମକର ସଂକ୍ରାନ୍ତିଠାରୁ ୩ଦିନ ବ୍ୟାପୀ ଲୋକେ ମଉଜ ମଜଲିସ୍‌ କରନ୍ତି। ମହାନ୍ତ ସମ୍ପ୍ରଦାୟର ଯୁବତୀ ଓ ମହିଳାମାନେ ମକରରେ ଟୁସୁ ଗୀତ ଗାଇ ଗାଁ ନିକଟ ନଦୀନାଳରେ ବୁଡ଼ ପକାଇ ‘ଟୁସୁ ମୁନୀ’ଙ୍କୁ ବିସର୍ଜନ କରିଥାନ୍ତି। କୁମାରୀମାନଙ୍କ ସତୀତ୍ୱର ପ୍ରତୀକ ଏହି ପର୍ବକୁ କୁଡୁମୀ ସମ୍ପ୍ରଦାୟର ଝିଅମାନେ ଅତି ନିଷ୍ଠାରେ ପାଳନ କରିବା ସହ ବ୍ରତ ଉପବାସ ରଖିଥାନ୍ତି। ଏବେ କେତେକ ସ୍ଥାନରେ ୩ ଦିନଧରି ଟୁସୁ, ଟୁସୁ ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। କୁଡୁମୀ ସମ୍ପ୍ରଦାୟର ଲୋକମାନେ ମକର ପର୍ବର ତୃତୀୟ ଦିନ କୃଷିକାର୍ଯ୍ୟର ଶୁଭାରମ୍ଭ ସ୍ବରୂପ ହଳସୂତ୍ର କରିଥାନ୍ତି। ଏହି ସମ୍ପ୍ରଦାୟର ଘରେ ଘରେ ଛାଙ୍କଲ ପିଠା ଓ ଉନ୍ଧି ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ଦିନଟି ସଂକ୍ରାନ୍ତି ହୋଇଥିଲେ ହେଁ ଜିଲାରେ ଘରେ ଘରେ ମାଛ, ଖାସି ଓ କୁକୁଡ଼ା ମାଂସ ତରକାରି ହୋଇଥାଏ। ଆଦିବାସୀମାନଙ୍କ ପାଇଁ ମଧ୍ୟ ଏହା ଏକ ଅବସର ବିନୋଦନର ପର୍ବ। ଧାନ ଅମଳ ପରେ ପଡୁଥିବା ଏହି ପର୍ବ କୃଷକଙ୍କ ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ। କେନ୍ଦୁଝର ଜିଲାର ଭୀମକୁଣ୍ଡ, ବାରାହଟିପୁରା, କେଶରୀକୁଣ୍ଡ, ଧାନବେଣୀ, କାଶିଆ, ବକ୍ସି ବାରିଗାଁ, ମିରିଗି ଖୋଜିର ଅଶନବାହାଳି,ଗୋଜାପଥର ଓ ଡିଆ ନାଳିରେ ମକର ପାଇଁ ଯାତ୍ରା ଓ ଟୁସୁ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସ୍ଥାନୀୟ ପରିବେଶ ଉତ୍ସବ ମୁଖର ହୋଇଥାଏ।
-ବୀର କିଶୋର ଦାଶ, ପାଟଣା