ଗଣବଳାତ୍କାର ଶିକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବି :ଯାଦବ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭବାନୀପାଟଣା,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଞ୍ଚଳରେ ଗତ ୧୪ ତାରିଖରେ ଗଣବଳାତ୍କାର ଶିକାର ପୀଡ଼ିତାଙ୍କୁ ଆଇନ୍‌ ଅନୁମୋଦିତ ନ୍ୟାୟ ପ୍ରଦାନ ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଦାବି କରିଛି କଳାହାଣ୍ଡି ଯାଦବ ମହାସଭା। ଶୁକ୍ରବାର ଜିଲା ଯାଦବ ମହାସଭା ସଭାପତି ହରିଶଙ୍କର ବାଗଙ୍କ ନେତୃତ୍ୱରେ ମହାସଭାର କାର୍ଯ୍ୟକର୍ତ୍ତାମାନେ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯାଦବ ମହାସଭାର ଦାବି କରିଛି ଯେ, ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ, ପୀଡ଼ିତାର ବଞ୍ଚତ୍ବା ଅଧିକାର ପାଇଁ ୩୦ ଲକ୍ଷ ଟଙ୍କା ପ୍ରଦାନ, ପୀଡ଼ିତା ଏଏନ୍‌ଏମ୍‌ ତାଲିମ୍‌ପୂର୍ଣ୍ଣ କରିବା ନିମନ୍ତେ ଏକ ସୁରକ୍ଷିତ ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ବ୍ୟବସ୍ଥା କରିବା, କମ୍‌ ସମୟ ମଧ୍ୟରେ ଏହି ମାମଲାକୁ ଚୁଡାନ୍ତ କରିବା ପାଇଁ କୋର୍ଟକୁ ଅବଗତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବା ପାଇଁ କୋର୍ଟକୁ ଅନୁରୋଧ କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା ଯାଦବ ମହାସଭା ସଭାପତିଙ୍କ ସହ ଜିଲା ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝି, ଜିଲା ଯୁବଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ସମ୍ପାଦକ ଲିଙ୍ଗରାଜ ବେହେରାଙ୍କ ସହ ବିଭିନ୍ନ ବ୍ଲକ ସଭାପତି ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।