ଗଣମାଧ୍ୟମକୁ ଜରୁରୀ ସେବା ଘୋଷଣା କର: ସରକାରମାନଙ୍କୁ ୟୁନେସ୍କୋର ପରାମର୍ଶ

ଜାତିସଂଘ,୧୫ । ୪: ମହାମାରୀ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ ଗ୍ରାସ କରିଛି। ଏହାର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରାଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏପରି ସମୟରେ ଖବରକାଗଜ ସଂସ୍ଥାଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଘାତକ କୋଭିଡ୍‌-୧୯କୁ ରୋକିବା ଲାଗି ସମସ୍ତ ପ୍ରଭାବିତ ଦେଶର ସରକାର ନ୍ୟୁଜ୍‌ ମିଡିଆକୁ ‘ଜରୁରୀ ସେବା’ ଭାବେ ଘୋଷଣା କରି ଏହାକୁ ସମର୍ଥନ ଦିଅନ୍ତୁ ବୋଲି ଜାତିସଂଘ ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ପକ୍ଷରୁ ମଙ୍ଗଳବାର ପରାମର୍ଶ ଦିଆଯାଇଛି।
ୟୁନେସ୍କୋର ଯୋଗାଯୋଗ ଓ ସୂଚନା ସମ୍ପର୍କିତ ନୀତି ଏବଂ ରଣନୀତି ନିର୍ଦ୍ଦେଶକ ଗାଏ ବର୍ଜର କହିଛନ୍ତି ଯେ କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଅପପ୍ରଚାର ଓ ଗୁଜବ ବିସ୍ତାର ହୋଇ ନ ଥିବା କୌଣସି ଅଞ୍ଚଳ ଥିବାଭଳି ମନେହେଉ ନାହିଁ। କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳରୁ ନେଇ ଅପ୍ରମାଣିତ ନିରାକରଣ ଓ ଉପଶମ ସହ ସରକାର, କମ୍ପାନୀ, ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ନାନା ମିଥ୍ୟା ଖବର ପ୍ରକାଶ ପାଇବାରେ ଲାଗିଛି। ଏପରି କି ଅନେକ ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି, ଆମତ୍ପ୍ରଚାର ପାଇଁ ଓ ବିଜ୍‌ନେସ୍‌ର ଏକ ମଡେଲ ଭାବେ ମିଥ୍ୟା ଖବର ପ୍ରଚାର କରି ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ନଜରକୁ ଆସୁଛି। ଏପରି କରୁଥିବା ଲୋକେ ଜନସାଧାରଣଙ୍କ ଭାବାବେଗ, ଭୟ, ଅନ୍ଧବିଶ୍ୱାସ ଓ ଅଜ୍ଞତାର ସୁଯୋଗ ନେଇ ସ୍ଥିତିକୁ ଅଧିକ ଜଟିଳ କରୁଛନ୍ତି। ଅନିର୍ଭରଶୀଳ ଓ ମିଥ୍ୟା ସୂଚନା ସାରା ବିଶ୍ୱରେ ଏତେମାତ୍ରାରେ ବିସ୍ତାର ଲାଭ କରୁଛି ଯେ କେତେଜଣ ସମୀକ୍ଷକ ମଧ୍ୟ ମିଛ ଖବରର ଅବତାରଣା କରୁଛନ୍ତି। ସାଧାରଣ ଜନତାଙ୍କୁ ଏଥିରୁ ମୁକ୍ତ କରି ଉପଯୁକ୍ତ ଭାବେ ସଚେତନ କରିବା ଲାଗି ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ସରକାରମାନେ କଟକଣା ଜାରି ନ କରିବାକୁ ୟୁନେସ୍କୋ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଅନୁରୋଧ କରାଯାଇଛି। କାରଣ ଗଣମାଧ୍ୟମ ଉପରେ କଟକଣା ଏକ ସ୍ବାଧୀନ ପ୍ରେସ୍‌ର ଅପରିହାର୍ଯ୍ୟ ଭୂମିକାକୁ କ୍ଷତି ପହଞ୍ଚାଇପାରେ। ସତ୍ୟ ସୂଚନା ଓ ମତାମତକୁ ନେଇ ପ୍ରସ୍ତୁତ ରିପୋର୍ଟ କ୍ଷମତାରେ ଥିବା ଦଳ ବା ନେତାଙ୍କ ଚିନ୍ତା ବଢ଼ାଇପାରେ।

ଏହାସତ୍ତ୍ୱେ ଜର୍ନାଲିଜମ୍‌କୁ ମିଥ୍ୟା ସୂଚନା ବିରୋଧରେ ଏକ ଶକ୍ତି ଭାବେ ବିବେଚନା କରାଯାଉ। ସାମ୍ପ୍ରତିକ ସ୍ଥିତିରେ ନ୍ୟୁଜ୍‌ ମିଡିଆକୁ ଏକ ଅତ୍ୟାବଶ୍ୟକ ସେବା ଭାବେ ସ୍ବୀକୃତି ପ୍ରଦାନ କରନ୍ତୁ ବୋଲି ୟୁନେସ୍କୋ ପକ୍ଷରୁ ବିଭିନ୍ନ ରାଷ୍ଟ୍ରର ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି।

Share