ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ଜୀବନ ବିପନ୍ନ କରି ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଉଛନ୍ତି। କରୋନା ପ୍ରଭାବିତ ଅଞ୍ଚଳରୁ ଖବର ଆଣିବା ସମୟରେ ଖବରଦାତା, ଫଟୋଗ୍ରାଫର ସଂକ୍ରମଣର ଶିକାର ହେଉଛନ୍ତିି। ଖବର ସଂଗ୍ରହ କରିବାକୁ ଗଲାବେଳେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରହି କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ଏକ ଆଡଭାଇଜରି ଜାରି କରିଛନ୍ତିି। ଏଥିସହିତ କ୍ଷେତ୍ର ଓ କାର୍ଯ୍ୟାଳୟ କର୍ମଚାରୀଙ୍କ ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗଣମାଧ୍ୟମ ପରିଚାଳନା ସଂସ୍ଥାଗୁଡିକୁ ପରାମର୍ଶ ଦେଇଛନ୍ତିି। ବୁଧବାର ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଗଣମାଧ୍ୟମ ସଂସ୍ଥାଗୁଡିକୁ ଚିଠି ଲେଖାଯାଇଛି।