ଗଣମାଧ୍ୟମ ନିରବଚ୍ଛିନ୍ନ ଖବର ପ୍ରକାଶ କରିବାକୁ ରାଜ୍ୟକୁ ପରାମର୍ଶ ଦେଲା କେନ୍ଦ୍ର

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)ର କରାଳ ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି। ଭାରତରେ ମଧ୍ୟ ଧୀରେ ଧୀରେ ଏହା ଭୟଙ୍କର ପରିସ୍ଥିତିକୁ ଗତି କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀର ମୁକାବିଲା କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଗଣମାଧ୍ୟମ ପ୍ରିଣ୍ଟ ଓ ଇଲେକ୍‌ଟ୍ରୋନିକ୍‌ ମିଡିଆ ଯେପରି ନିୟମିତ ଭାବେ ବିନା ବାଧାରେ ଖବର ପ୍ରସାରଣ କରିବେ ତାହା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ବିଷମ ପରିସ୍ଥିତିରେ ସୂଚନା ପ୍ରଦାନରେ ସହାୟତା କରୁଥିବା ସଂସ୍ଥା ପ୍ରିଣ୍ଟିଂ ପ୍ରେସ୍‌, ନ୍ୟୁଜ୍‌ ପେପର ଏଜେନ୍ସି, ସମସ୍ତ ଟିଭି ଚ୍ୟାନେଲ ଏବଂ ଏହାକୁ ସହାୟତା କରୁଥିବା ଟେଲି ରିପୋର୍ଟ, ଡିଟିଏଚ୍‌, ଏଫ୍‌ଏମ୍‌ ରେଡିଓ, କେବୁଲ ଅପରେଟର, କମ୍ୟୁନିଟିି ରେଡିଓ ଷ୍ଟେଶନ, ଡିଜିଟାଲ ସାଟେଲାଇଟ ନ୍ୟୁଜ୍‌ଗୁଡିକ ଯେପରି ନିର୍ଭୁଲ୍‌ ଖବର ପ୍ରସାରଣ କରିବେ ସେ ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। କୌଣସି ପ୍ରକାର ଭୁଲ୍‌ ଓ ମନଗଢ଼ା ଖବର ଯେପରି ପ୍ରକାଶ ନ ହୁଏ ସେଥିପ୍ରତି ଦୃଷ୍ଟିଦେବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି।

Share