‘ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସାମାଜିକ ବ୍ୟବସ୍ଥାରେ ଗଣମାଧ୍ୟମର ସ୍ବତନ୍ତ୍ର ଭୂମିକା ରହିଛି। ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ସମ୍ମୁଖରେ ଅନେକ ଆହ୍ବାନ ରହିଛି। କେତେକ କ୍ଷେତ୍ରରେ ସ୍ବାଧୀନ ମତକୁ ସହନଶୀଳତାର ସହ ନିଆଯାଉନାହିଁ। ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ କରନ୍‌ ଥାପ୍ପର ଖବରକାଗଜ ‘ସମ୍ବାଦ’ର ୩୫ତମ ଜନ୍ମବାର୍ଷିକୀ ସମାରୋହରେ ଏହା କହିଛନ୍ତି।
କରନ୍‌ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଟିଭିରେ ଖବର ପ୍ରସାରଣ ମନୋରଞ୍ଜନର ମାଧ୍ୟମ ପାଲଟିଛି। ଖବରରେ ସାଧାରଣ ଜନତାଙ୍କ ସମସ୍ୟା ସ୍ଥାନ ପାଉନାହିଁ। ସେହିପରି ନବଭାରତ ଟାଇମ୍ସର ପୂର୍ବତନ ସମ୍ପାଦକ ରାମକ୍ରିପାଲ ସିଂ କହିଥିଲେ ଯେ, କୌଣସି ଖବର ପରିବେଷଣରେ ତଥ୍ୟନିଷ୍ଠତା ଏବଂ ବିଶ୍ୱସନୀୟତା ରହିବା ଜରୁରୀ। ପାଠକ ହିଁ ଖବରକାଗଜର ଭଗବାନ। ବୈଦ୍ୟୁତିକ ଗଣମାଧ୍ୟମ ଯେତେ ଜନାଦୃତ ହେଲେ ବି ମୁଦ୍ରିତ ଗଣମାଧ୍ୟମର ପ୍ରାସଙ୍ଗିକତାକୁ ଗୌଣ କରିପାରିବ ନାହିଁ ବୋଲି ସିଂ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଗୌରହରି ଦାସ, ସମ୍ବାଦ ଗ୍ରୁପ୍‌ ଏମ୍‌ଡି ମୋନିକା ନାୟାର ପଟ୍ଟନାୟକ ଏବଂ ସିଇଓ ତନୟା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share