ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ : ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଏଣିକି ଜୁନିୟର ବା ଠିକା ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର କଡାକଡି ଯାଞ୍ଚ କରାଯିବ। କେତେଜଣ ଶିକ୍ଷକ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆସିବା ପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିବାବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଜାଲ୍‌ ପ୍ରମାଣପତ୍ର ଦେଇଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକ ପଡ଼ିଲେ ସେହି ଅଯୋଗ୍ୟ ଶିକ୍ଷକମାନଙ୍କୁ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ କାଢ଼ି ଦେବାକୁ ନିର୍ଦ୍ଦେଶ ଦେଇଛି ବିଭାଗ।
ନିଯୁକ୍ତି ସମୟରେ କେତେଜଣ ଶିକ୍ଷକ ଜାଲ୍‌ ପ୍ରମାଣପତ୍ର ଦେଇଥିବାବେଳେ ଆଉ କେତେଜଣ ଶିକ୍ଷା ସହାୟକରୁ ନିୟମିତ ଶିକ୍ଷକକୁ ପଦୋନ୍ନତି ହେବାବେଳେ ଏଭଳି କାଗଜପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ। ପ୍ରାଥମିକ ପର୍ଯ୍ୟାୟରେ ଶିକ୍ଷକଙ୍କ ଶିକ୍ଷାଗତ ସହ ଟ୍ରେନିଂ ସାର୍ଟିଫିକେଟ ଯାଞ୍ଚ କରାଯିବ। ୨୦୧୧ ଜାନୁୟାରୀ ୧ରୁ ନିଯୁକ୍ତ ତଥା ନିୟମିତ ହୋଇଥିବା ଶିକ୍ଷକ ଓ ଠିକା ଶିକ୍ଷକଙ୍କର ପ୍ରଥମ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକମାନେ କନିଷ୍ଠ ବା ଠିକା ଶିକ୍ଷକଙ୍କର ସାର୍ଟିଫିକେଟ ସହ ମାର୍କଶିଟ୍‌ ଯାଞ୍ଚ କରିବେ। ସେହିଭଳି ନିୟମିତ ଏବଂ ଏକ୍ସ କ୍ୟାଡର୍‌ ବା ଲେଭଲ୍‌ ୫ ଶିକ୍ଷକମାନଙ୍କର ସାର୍ଟିଫିକେଟ ଯାଞ୍ଚ ଦାୟିତ୍ୱ ବିଇଓ ନେବେ। ଯାଞ୍ଚ ପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସେମାନେ ରିପୋର୍ଟ ପ୍ରଦାନ କରିବେ। ଏଥିପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ନଜର ରଖାଯିବ ଓ ଆବଶ୍ୟକ ପଡ଼ିଲେ ସାର୍ଟିଫିକେଟର ସତ୍ୟତା ଜାଣିବାକୁ ଏକ ଟିମ୍‌ ରାଜ୍ୟ ବାହାରେ ଥିବା ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ଯିବେ। ସେହିଭଳି ଅଭିଯୋଗ ଆସିଲେ ୨୦୧୧ ପୂର୍ବରୁ ନିଯୁକ୍ତ ତଥା ନିୟମିତ ପଦବୀ ପାଇଥିବା ଶିକ୍ଷକମାନଙ୍କର ସାର୍ଟିଫିକେଟ ମଧ୍ୟ ଯାଞ୍ଚ କରାଯିବ। ଜାଲ୍‌ ସାର୍ଟିଫିକେଟର ପ୍ରମାଣ ମିିଳିଲେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବା ସହ ଚାକିରିରୁ ବହିଷ୍କାର କରାଯିବ। ଉଭୟ ଡିପିସି ଏବଂ ବିଇଓମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରି ଅକ୍ଟୋବର ୧୫ ସୁଦ୍ଧା ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share