ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବାଲିଅନ୍ତା ବିଇଓ ଅଫିସ୍‌ ଗସ୍ତ: ଅନୁପସ୍ଥିତ କର୍ମଚାରୀଙ୍କ ଦିନକ ଦରମା ବନ୍ଦ

ଭୁବନେଶ୍ୱର(ବ୍ୟୁରୋ)/ବାଳକାଟୀ(ଡି.ଏନ.ଏ),୧୯।୯: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବାଲିଅନ୍ତା ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବାଳକାଟୀସ୍ଥିତ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଗସ୍ତବେଳେ ୧୦ଟା ୧୫ରୁ ୧୦ଟା ୪୦ ସୁଦ୍ଧା କାର୍ଯ୍ୟାଳୟରେ ଅପେକ୍ଷା କରିଥିଲେ। କିନ୍ତୁ ୧୨ଜଣ କର୍ମଚାରୀ ମଧ୍ୟରୁ ୨ଜଣଙ୍କ ବ୍ୟତୀତ ଅନ୍ୟ କର୍ମଚାରୀଙ୍କ ଦେଖା ନ ଥିଲା। ପରେ ମନ୍ତ୍ରୀ ବିରକ୍ତି ପ୍ରକାଶ କରି ଅନୁପସ୍ଥିତ କର୍ମଚାରୀଙ୍କ ଦିନକର ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ ନୂଆପାଟଣା ପ୍ରାଥମିକ ସ୍କୁଲ ଓ ପ୍ରତାପ ଶାସନ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଭାରତୀ ରଥଙ୍କ ସହ ଆଲୋଚନା ବେଳେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ବିଇଓ ମିଶ୍ରଙ୍କୁ ମନ୍ତ୍ରୀ ଦାଶ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଉକ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଅଧିକ ଶ୍ରେଣୀଗୃହର ଆବଶ୍ୟକତା ଦୃଷ୍ଟିରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଚିଠି ଲେଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହାସହ ବନମାଳୀପୁର ହାଇସ୍କୁଲ, ଭାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଜନଗରପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିଆଳି ହାଇସ୍କୁଲ, କପିଳେଶ୍ବର ବିଦ୍ୟାପୀଠ, କୁରାଙ୍ଗ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲକ୍ଷେଶ୍ବର ନୋଡାଲ ହାଇସ୍କୁଲ, କାଚରାମାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ।

Share