‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ: ଗଣଶିକ୍ଷା ବିଭାଗ ଓ ଅକ୍ଷରା ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅକ୍ଷରା ଫାଉଣ୍ଡେଶନ ସହଯୋଗରେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ଆଉ ୨୮ଜିଲାକୁ ସମ୍ପ୍ରସାରିତ ହେବ। ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଗଣିତ ପାଠ୍ୟକ୍ରମରେ ଶ୍ରେଣୀ ଉପଯୋଗୀ ଦକ୍ଷତା ହାସଲ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନିମନ୍ତେ ଏହି କାର୍ଯକ୍ରମ ଆରମ୍ଭ ହୋଇଥିଲା। ଏହାକୁ ପ୍ରଥମେ ବଲାଙ୍ଗୀର ଓ ରାୟଗଡ଼ା ଜିଲାରେ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯାଇଥିଲା। ଏହି ଦୁଇ ଜିଲାର ୪୨୦୦ ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ଗଣିତ କିଟ୍‌ ଯୋଗାଇ ଦିଆଯାଇଥିଲା। ଏଥିରେ ଶିକ୍ଷାଦାନ ନିମନ୍ତେ ୩୫୦ଜଣଙ୍କୁ ପ୍ରଧାନ ସାଧନ ଶିକ୍ଷକ ଭାବେ ଢେଙ୍କାନାଳ ଓ ପୁରୀ ଜିଲା ସମେତ ବାଙ୍ଗାଲୋରଠାରେ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୫ଦିନିଆ କର୍ମଶାଳା କରାଯାଇ ୪ହଜାର ସାଧନ ଶିକ୍ଷକଙ୍କୁ ତାଲିମ ଦିଆଯାଇଥିଲା। ଏଥିରେ ୨ଲକ୍ଷ ୪୦ହଜାର ବିଦ୍ୟାର୍ଥୀ ଉପକୃତ ହୋଇଥିଲେ। ଏହି ପାଇଲଟ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ରାଜ୍ୟରେ ଅବଶିଷ୍ଟ ଜିଲାକୁ ଏହା ସମ୍ପ୍ରସାରିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲାକୁ ସାମିଲ କରାଯିବ। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼। ଏହିସବୁ ଜିଲାର ୩୪,୬୪୨ ପ୍ରାଥମିକ ବିଦ୍ୟାଳୟରେ ୧୯ଲକ୍ଷ ଛାତ୍ରୀଛାତ୍ରଙ୍କୁ ଗଣିତ କଳିକା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏସବୁ ଜିଲାରେ ଖୁବ୍‌ଶୀଘ୍ର ଗଣିତ କିଟ୍‌ ଯୋଗାଇ ଦିଆଯିବ। ୨୦୨୦ ଶେଷସୁଦ୍ଧା ଅବଶିଷ୍ଟ ୮ଟି ଜିଲାକୁ ଏଥିରେ ସାମିଲ କରାଯିବ। ଏ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରିବା ପାଇଁ ଶୁକ୍ରବାର ବିଦ୍ୟାଳୟ ଓ ଗରଶିକ୍ଷା ବିଭାଗ ଏବଂ ଅକ୍ଷରା ଫାଉଣ୍ଡେଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଓପେସାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଅକ୍ଷରା ଫାଉଣ୍ଡେଶନ ଅଧ୍ୟକ୍ଷ ତଥା ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କାମାତ୍‌ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି।

Share