Categories: ଜାତୀୟ

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଡି ପାରୁନି ଗଣିତ। ଶୁକ୍ରବାର ସୁଦ୍ଧା ଯଦି ଏହାର ସମାଧାନ ନ ହେଲା ତେବେ ଶିବସେନା ଭାଜପା ମେଣ୍ଟକୁ ଭାଙ୍ଗି ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଏପରି ହେଲା ତେବେ ମହାରାଷ୍ଟ୍ର ସରକାରରେ ଶିବସେନାର ଏହା ଏକ ବଡ ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ଏବେ ଶିବସେନାର ବିଧାୟକମାନେ ହୋଟେଲରେ ରହିଥିବା ବେଳେ ଦଳ ମଧ୍ୟରେ ଚାଲିଛି ବିଚାର ବିମର୍ଷ। ଏପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଭାଜପା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସଜବାଜ ହେଉଛି। ହେଲେ ମହାରାଷ୍ଟ୍ରରେ ଶିବସେନା ଶାସନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭାଜପ-ଶିବସେନା ମଧ୍ୟରେ ମେଣ୍ଟ ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ। ଆଉ ଏବେ ୫୦-୫୦ ଅଙ୍କକୁ ନେଇ ଉଭୟ ଦଳ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଶିବସେନା ଚାହୁଁଥିବା ବେଳେ ଭାଜପା ଏଥିରେ ଅରାଜି ହେଉଛି। ଯାହାକୁ ନେଇ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଜନୀତି ଗଣିତର ସମାଧାନ ହୋଇପାରୁ ନାହିଁ।

Share