ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ

ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ। ଦିନଟି ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ଦୁଇଟି। ଆମେ ଏକ ବିଶେଷ ସତ୍ତା ଭିତରେ ଦୁଇଟି ଭାବକୁ ପୂଜାକରୁ। ସେହି ଭାବର ଦେବତା ଆମକୁ ସୁରକ୍ଷା ଦିଅନ୍ତି, ବିଦ୍ୟା ବି ଦିଅନ୍ତି। ଘର ବା ସମାଜର ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ସର୍ବପୂଜ୍ୟ ଓ ଅଗ୍ରପୂଜ୍ୟ ଦେବତା ସେ ଏବଂ ସକଳ ବିଦ୍ୟାର ଅଧିକାରୀ ମଧ୍ୟ ସେ। ସବୁଠାରୁ ବଡ଼କଥା, ଏହି ଦିନ ଗଣେଶଙ୍କ ଜନ୍ମଦିନ। ତେଣୁ ଚାରିଆଡ଼ ଉତ୍ସବମୁଖର ହୋଇଉଠେ ଏହି ଦେବତାଙ୍କ ପାଇଁ।
ପୂଜାଦିନ ଆସିଲେ ସ୍କୁଲ୍‌ ଓ ଗଁା ଘର ଲିପାପୋଛା ହୁଏ, କାନ୍ଥ-ଚଟାଣରେ ଝୋଟି ପଡ଼େ। କଇଁଫୁଲ ଓ ଆମ୍ବଡାଳର ତୋରଣରେ ହସିଉଠେ ପରିମଣ୍ଡଳ। ସକାଳୁ ସକାଳୁ ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସୁବେଶ କରିଦିଆଯାଏ। କନିଅର, ଟଗର, କଇଁଫୁଲର ମାଳା ବେକରେ ଲମ୍ବେଇ ଦିଆଯାଏ। ପିଲାଙ୍କ ଗହଣରେ ପରିବେଶ ମୁଖରିତ ହୋଇଉଠୁଥାଏ। ନୂଆଚାଟ ଖଡ଼ି ଛୁଏଁ। ପାଖରେ ଗୁରୁ। ଛୋଟ ପିଲାଟିର ହାତରେ ନୂଆ ସିଲଟ ଓ ଖଡ଼ି। ଗୁରୁଙ୍କ ହାତମୁଠାରେ ପିଲାଟିର ଖଡ଼ିଧରା ମୁଠା। ପାଠର ଆରମ୍ଭ ‘ସିଦ୍ଧିରସ୍ତୁ’। ତା’ପରେ ତିନୋଟି ଛୋଟଛୋଟ ମୁଣ୍ଡୁଳା- ବ୍ରହ୍ମା, ବିଷ୍ଣୁ, ମହେଶ୍ୱର।
କାଇଁଚ ପାଛିଆରେ ପିଲାଟି ତା’ ପ୍ରିୟ ଗଣେଶଙ୍କ ପାଇଁ ଆଣିଥାଏ ଉଖୁଡ଼ା, ନଡ଼ିଆ, କଦଳୀ ଓ ଖସାଲଡୁ। ପୂଜା ଶେଷହୁଏ ପୁଷ୍ପାଞ୍ଜଳିରେ। ‘ଖର୍ବଂ ସ୍ଥୂଳତନୁଂ ଗଜେନ୍ଦ୍ରବଦନଂ ଲମ୍ବୋଦରଂ ସୁନ୍ଦରମ୍‌’- ଏ ଶ୍ଳୋକଟି କେବେ ଜନ୍ମ ନେଇଥିଲା ଆମେ ଜାଣିନୁ, ମାତ୍ର ସବୁଦିନ ପାଇଁ ଲେଖା ହୋଇଯାଏ ତା’ ଚେତନାରେ।
ସେଦିନ ବଦଳିଗଲାଣି। ଏବେ ଗଣେଶଙ୍କ ଦୁଇ ହାତ ବଦଳରେ ହାତର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାଙ୍କ ହାତରେ କେବଳ ଆଉ ଲଡୁ ବା ପୋଥି ନାହିଁ, କେତେ କେତେ ଆୟୁଧ। ହାତରେ ଅଭୟମୁଦ୍ରା ବି ଅଛି। କେଉଁଠି ନାଚୁଛନ୍ତି, କେଉଁଠି ବଇଁଶୀ ବା ମୃଦଙ୍ଗ ବଜାଉଛନ୍ତି ତ କେଉଁଠି ରଣ ପାଇଁ ପ୍ରସ୍ତୁତ।
ସବୁଠୁ ବଡ଼ କଥା, ସେ କାଳେ ସୁନ୍ଦର ଅନ୍ୟ ସକଳ ଦେବତାଙ୍କଠାରୁ। ହାତୀପରି ମୁଣ୍ଡ, ଥନ୍ତଲପେଟ, ଗଭୀର ନାଭି, ମୋଟାମୋଟା ଜଂଘ, ବଡ଼ବଡ଼ ପାଦ, ପ୍ରସାରିତ ପାପୁଲି, ଛାତିରେ ପଇତା, ଦେହସାରା ଅଳଙ୍କାର, ମଥାରେ ଚନ୍ଦନ। ଏପରିକି ବାପାଙ୍କ ପ୍ରିୟ ସାପ ବି ତାଙ୍କର ଅଳଙ୍କାର। ଏତେବଡ଼ ପୃଥୁଳକାୟ ଦେବତାଙ୍କର ବାହନ ପୁଣି ଛୋଟିଆ ମୂଷାଟିଏ। କାହିଁକି? ତାଙ୍କୁ କ’ଣ ଆଉ କୌଣସି ଜୀବ ମିଳିଲେନି? ପୁଣି ଏପରି ଏକ ବିଚିତ୍ର ଦେବତା ସୁନ୍ଦରତମ ହେଲେ କେମିତି?
ଗଣେଶ କ’ଣ କହି ଦେଉଛନ୍ତି କି, ସୁନ୍ଦରତା ଦେହର ଗଢ଼ଣରେ ନାହିଁ, ବିଦ୍ୟା ହିଁ ସୁନ୍ଦର? ବିଦ୍ୟାବନ୍ତ ସକଳ ରୂପର ଯେପରି ଏକ ଅପରୂପ ଉଦ୍‌ଭାସ। ଥରେ ବିଦ୍ୟାରେ ଜଣେ ପରିସ୍ନାତ ହୋଇପାରିଲେ ସେ ସମସ୍ତଙ୍କୁ ଆକର୍ଷଣ କରେ। ପୁଣି ମୂଷା ନାମକ ଜୀବଟି କ’ଣ ଆମକୁ କହି ଦିଏ କି, ମୁଁ ସବୁକିଛି ବନ୍ଧୁରତା, କଠୋରତାକୁ ମୋର କୁନିକୁନି ଦାନ୍ତରେ ଭାରି ସହଜରେ ଭେଦି ଯାଇପାରେ। ଯାଇପାରେ ଗଭୀରରୁ ଗଭୀରତମକୁ। ସବୁ ସମ୍ପଦକୁ ନିଜ ଘର ଭିତରେ ସମ୍ପାଦି ଦେଇପାରେ। ଏପରିକି ତୁମ ସଞ୍ଚିତ ସମ୍ପଦକୁ ଓ ଚୁଟିକୁ ବି। ତୁମେ ସତର୍କ ନ ହେଲେ ନିଜକୁ ନିରାପତ୍ତା ଦେଇପାରିବ ନାହିଁ। ମୁଁ ତୁମର ସତର୍କ ଘଣ୍ଟି। ତୁମେ ଅବଶ୍ୟ ମୋତେ ଶତ୍ରୁ ମଣ। ବିଭିନ୍ନ ଉପାୟରେ ମୋ ଜୀବନକୁ ନିଅ, ମାତ୍ର ନେଇ ପାର କି? ମୋତେ ଆବିଷ୍କାର କର, ମୁଁ ତଥାପି ବଞ୍ଚିଛି, ଏକ ପ୍ରଚଣ୍ଡ ପ୍ରତିପତ୍ତିଶାଳୀ ବିଦ୍ୟା-ବିଭବରେ ଅପରାଜେୟ ବ୍ୟକ୍ତିତ୍ୱ ଗଣେଶଙ୍କ ପାଦତଳେ ଏବଂ ତାଙ୍କୁ ବୋହି ଚାଲିଛି। ଯିଏ ବିଦ୍ୟାର ବହନକାରୀ, ସେ ଅମର।
ଆମ ଭାରତୀୟ ସଂସ୍କୃତିରେ ଏହି ବିଦ୍ୟାର ଦେବତା କାଳେ ମହାମାୟା ପାର୍ବତୀଙ୍କ ମାନସ-ସନ୍ତାନ, ଯିଏ ବାଳୁତ କାଳରୁ ମହାଯୋଗୀ ଶିବଙ୍କ ସହିତ ମଧ୍ୟ ଯୁଦ୍ଧ କରିବାକୁ ଆହ୍ବାନ ଦେଇପାରେ ଏବଂ ଯିଏ କହିଦେଇପାରେ, ତା’ କାନ୍ଧରୁ ମୁଣ୍ଡକୁ ବିଯୁକ୍ତ କରି ଦେଇଥିବା ଅସ୍ତିତ୍ୱକୁ- ହେ ଈଶ୍ୱର! ତୁମେ ମୋତେ ଶେଷ କରିପାରିବ ନାହିଁ, ବିଦ୍ୟାର ଶେଷ ନାହିଁ, ବୀରତ୍ୱର ଶେଷ ନାହିଁ। ସାଧନା, ଉତ୍ସାହର ବି ଶେଷ ନାହିଁ। ଅନ୍ୟର ନିରାପତ୍ତା ପାଇଁ ସମର୍ପିତ ଏକ ପ୍ରତିଶ୍ରୁତିବଦ୍ଧ ଅସ୍ତିତ୍ୱର ଶେଷ ନାହିଁ, ସେ ବଞ୍ଚତ୍ବ ଯାବତ୍‌ ଚନ୍ଦ୍ରାର୍କ। ଈଶ୍ୱର ଆଶ୍ଚର୍ଯ୍ୟ ହୁଅନ୍ତି- ଏକ ମହାପରାକ୍ରମଶାଳୀ ଅସ୍ତିତ୍ୱର କାନ୍ଧରେ ଯୋଡ଼ିଦିଅନ୍ତି ହାତୀର ମୁଣ୍ଡଟିଏ। ସେହି ଆଶ୍ଚର୍ଯ୍ୟ ଦେବତା ଆମ ଗଣେଶ, ଭାରତୀୟ ସଂସ୍କୃତିର ଆଦିପୂଜ୍ୟ ଏବଂ ସକଳ ବିଦ୍ୟାର ପ୍ରତୀକ। ଜନ୍ମ ବୈଦିକ କାଳରୁ।
ସେହି ବୈଦିକ ଦେବତାଙ୍କ ନିରାଜନା ଏବେ ଭିନ୍ନ ମୋଡ଼ ନେଇଛି। ଗଁା, ସହର, ସାହି, ବସ୍ତି- ସବୁଠି ଗଣେଶ ବର୍ତ୍ତମାନ। ଭିନ୍ନ ଭିନ୍ନ ଦଳଙ୍କର ଚାନ୍ଦା ଆଦାୟରେ ଏବେ ଆମ ଗଣେଶ ଅତିଷ୍ଠ। କେତେ ରୂପରେ ତାଙ୍କ ଅବତାରଣାରେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ। ପୁଣି ବିସର୍ଜନରେ ତାଙ୍କ ଅବସ୍ଥା ଆହୁରି ବାରଣ୍ଡା ଦି’କଡ଼ା। ଡିଜେ ବାଜାର ଶବ୍ଦରେ ଉଚ୍ଚାଙ୍ଗ ନୃତ୍ୟଗୀତର ଉଚ୍ଚାଟ ପଦପାତ ତାଙ୍କୁ କେମିତି ଲାଗୁଥିବ କେଜାଣି?
ବିଦ୍ୟା ସବୁବେଳେ ନିର୍ମଳତାର ପ୍ରତୀକ। ମନ ହେଉ, ଦେହ ହେଉ ଅଥବା ପରିବେଶ, ଆମ ଗଣେଶଙ୍କୁ ବିସର୍ଜନରେ ଡିଜେ ବଜାଇ, ଉଚ୍ଚାଙ୍ଗ ନୃତ୍ୟଗୀତରେ ନଈ ବା ପୋଖରୀରେ ଭସେଇ ଦେଉଥିବା ବେଳେ, ଗଣେଶ ଶ୍ୱାସରୁଦ୍ଧ ହେବା ସ୍ବାଭାବିକ କଥା। ତେଣୁ ଏବେ ତାଙ୍କ ମୃଣ୍ମୟ ଅବୟବକୁ ସ୍ବତନ୍ତ୍ର ସ୍ଥାନରେ ବିସର୍ଜନ କରାଯିବା ଲାଗି ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏତେସବୁ ବାଜା, ରୋଶଣୀ, ଆଲୋକର ସାଜସଜ୍ଜା ଭିତରେ କାହିଁକି କେଜାଣି ଗଣେଶ ପୂଜା ଦିନ ଗଁାର ସେ ପଛଦିନ ମନେପଡ଼େ!
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ...

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image