Categories: ଜାତୀୟ

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ଏହି ପରିପ୍ରେକ୍ଷୀରେ ଗୁଜରାଟ ସୁରଟ ସହରର ଗଣେଶ ପୂଜାର ଏକ ପେଣ୍ଡାଲରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଭାବିବେ ଏହା ଟ୍ରାଫିକ ନିୟମ ପ୍ରତି ସଚେତନତା ନା ନୂଆ ନିୟମର ଡର। ଉକ୍ତ ସହରର ଏକ ପେଣ୍ଡାଲରେ ଭକ୍ତମାନେ ହେଲ୍‌ମେଟ ପିନ୍ଧି ଭଗବାନ ଗଣେଶଙ୍କୁ ଦର୍ଶନ କରି ଆଳତୀ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସୁରଟର ବେସୁ ଅଞ୍ଚଳ ନିକଟରେ ଥିବା ନନ୍ଦିନୀ-୧ରେ ଅନ୍ୟ ପେଣ୍ଡାଲମାନଙ୍କ ଭଳି ଭଗବାନ ଗଣେଶଙ୍କୁ ବିଦାୟ ଦେବା ପାଇଁ ଆଳତୀର ଆୟୋଜନ କରାଯାଇଥିଲା। ଏଠାରେ ଅତ୍ୟଧିକ ଭକ୍ତ ହେଲ୍‌ମେଟ ପିନ୍ଧି ପହଞ୍ଚିଥିଲେ। ତେବେ ସେଠାରେ ଏକ ମହିଳା ହେଲ୍‌ମେଟ ପିନ୍ଧି ଠାକୁରଙ୍କ ଆଳତୀ କରିଥିଲେ। ଏହାଦ୍ୱାରା ସେ ଲୋକଙ୍କୁ ହେଲ୍‌ମେଟ ପିନ୍ଧିବା ନେଇ ସଚେତନତା କରାଉଛନ୍ତି। ସରକାର ଟ୍ରାଫିକ ନିୟମରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା ଲୋକଙ୍କ ସୁରକ୍ଷା ପାଇଁ ବୋଲି ସେ କହିଛନ୍ତି।

Share