ଗଣ୍ଡଗୋଳରେ ଗର୍ଭବତୀ ଆହତ ଘଟଣା, ୩ ଗିରଫ

ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ.ଏ)-ଜମିକୁ କେନ୍ଦ୍ର କରି ଗଣ୍ଡଗୋଳ ବେଳେ ଜଣେ ଗର୍ଭବତୀଙ୍କୁ ଆକ୍ରମଣ କରାଯିବାରୁ ମୃତଶିଶୁ ଜନ୍ମ ହେବା ଘଟଣାରେ ଦାରିଙ୍ଗବାଡ଼ି ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି। ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପାଲି ଗ୍ରାମରେ ଗତ ୧ ତାରିଖରେ ଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବେଳେ ଗ୍ରାମର ଅମର କୁମାର ଦିଗଲଙ୍କ ଗର୍ଭବତୀ ସ୍ତ୍ରୀ ରୋଜିଙ୍କୁ ମଧ୍ୟ ଆକ୍ରମଣ କରାଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ l ତାଙ୍କୁ ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ଡାକ୍ତର ରେଫର କରିଥିଲେ । ସେଠାରୁ ପୁଣି ତାଙ୍କୁ ଫୁଲବାଣୀ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରୋଜି ମୃତଶିଶୁ ଜନ୍ମ ଦେଇଥିଲେ। ଏ ସମ୍ପର୍କିତ ଅଭିଯୋଗକୁ ଭିତ୍ତିକରି ଦାରିଙ୍ଗବାଡ଼ି ଥାନାରେ ନଂ.୧୧୬/୧୯ରେ ମକଦମା ରୁଜୁ ହୋଇଥିଲା। ତଦନ୍ତ ପରେ ମଙ୍ଗଳବାର ପୋଲିସ ଅମର ଦିଗଲ ଏବଂ ରୋଜିଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁରେ ପ୍ରଧାନ , ମାନସିଂ ପ୍ରଧାନ ଓ ସାନ୍ଦରା ପ୍ରଧାନକୁ ଗିରଫ କରଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ କୌଶିକ ମାଝି ସୂଚନା ଦେଇଛନ୍ତି ।

Share