ଗଣ୍ଡଗୋଳ ପାଇଁ ଲୋୟର ସୁକ୍‌ତେଲ ୧୯ ବର୍ଷ ପରେ ଅଧା ରହିଛି: ବଲାଙ୍ଗୀରରେ ଚଳିତବର୍ଷ ୧୫ଶହ ଗଭୀର ନଳକୂପ ଖୋଳାଯିବ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବଲାଙ୍ଗୀର ଜିଲାକୁ ଜଳସେଚନ ସୁବିଧା ମିଳୁ ନାହିଁ। ରାଜ୍ୟ ସରକାର ସବୁ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ବଲାଙ୍ଗୀର ଜିଲାର ଅନେକ ବ୍ଲକରେ ୧ ପ୍ରତିଶତ ଜଳସେଚନ ମଧ୍ୟ ହୋଇ ନାହିଁ। ଲୋୟର ସୁକ୍‌ତେଲ ପ୍ରକଳ୍ପ ଦୀର୍ଘ ବର୍ଷ ହେବ ଶେଷ ହୋଇପାରୁ ନାହିଁ। ଏହି ଜିଲାର କେଉଁ ବ୍ଲକକୁ କେତେ ଜଳସେଚନ କରାଯାଇଛି, ସେ ନେଇ ସରକାର ଜବାବ ଦିଅନ୍ତୁ ବୋଲି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ପଚାରିଥିଲେ। ଭାଜପା ସଭ୍ୟ ମୋହନ ଚରଣ ମାଝି ରାଜ୍ୟର କେତୋଟି ନିଅଣ୍ଟିଆ ବ୍ଲକକୁ ୩୫ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇଛି ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲା ମୁନିଗୁଡ଼ା ବ୍ଲକର ୫/୭ଟି ବ୍ଲକକୁ ପାଣିଯାଉନି। ମେଗା ଲିଫ୍ଟ ପଏଣ୍ଟ କରି ଜଳସେଚନ ସୁବିଧା ହେବ କି ବୋଲି ପଚାରିଥିଲେ। ଭାଜପା ସଭ୍ୟ ମୁକେଶ ମାହାଲିଙ୍ଗ ଲୋୟର ସୁକ୍‌ତେଲ ପ୍ରୋଜେକ୍ଟ କେବେ ଶେଷ ହେବ ଓ ଏଥିରେ କେତେ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୨୦୦୯ ମାର୍ଚ୍ଚ ଶେଷ ସୁଦ୍ଧା ୨୮.୬୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଦିଆଯାଇଥିଲା। ୨୦୦୯ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ୧୩.୨୦ ଲକ୍ଷ ହେକ୍ଟର ଜମିିକୁ ଜଳସେଚନ ସୁବିଧା ଦିଆଯାଇଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମୋଟ ୪୧.୮୯ ଲକ୍ଷ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା କରାଯାଇଛି। ତେବେ ରାଜ୍ୟର ବିଭିନ୍ନ ଜିଲାରେ ୧୫ଟି ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ୨୩ଟି କ୍ଷୁଦ୍ର, ୧୭ଟି ବୃହତ୍‌ ଉଠାଜଳସେଚନ, ୮୩୨ଟି ଆଡ଼ିବନ୍ଧ ଏବଂ ୧୪୫୦ଟି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଆହୁରି ୧୫ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଆରମ୍ଭ କରାଯିବ। ଏହାଛଡ଼ା ରାଜ୍ୟରେ ୨୦ ହଜାର ଗଭୀର ନଳକୂଳ ଓ ୬୦୦ ଅଗଭୀର ନଳକୂପ ନିର୍ମାଣ କରାଯିବ। ବଲାଙ୍ଗୀର ଜିଲାରେ ମୋଟ ୩.୪୬ ଲକ୍ଷ ହେକ୍ଟର ଚାଷଜମିରେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୧.୭୩ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି। ଏହି ଜିଲାରେ ଏ ପର୍ଯ୍ୟନ୍ତ ୩୩. ୭୪ ପ୍ରତିଶତ ଜଳସେଚନ ସୁବିଧା କରାଯାଇଛି। ୩୫ ପ୍ରତିଶତ କରିବା ପାଇଁ ଲୋୟକ ସୁକ୍‌ତେଲ, ଲୋୟର ଇନ୍ଦ୍ର, ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭ଟି ଆଡିବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଚଳିତବର୍ଷ ୧୫ ଶହ ଗଭୀର ନଳକୂପ ଖୋଳାଯିବ। ଲୋୟକ ସୁକ୍‌ତେଲ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ଗଣ୍ଡଗୋଳ ଯୋଗୁ ଶେଷ ହୋଇପାରୁନି। ଲୋଇସିଙ୍ଗା ବିଧାୟକ ସହଯୋଗ କଲେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଥିଲେ।

Share