ଗତିପଥ ବଦଳାଇଲା ମଙ୍ଗଳା ମୁହାଣ

ପୁରୀ ଅଫିସ,୧୯।୯: ପ୍ରାୟ ପ୍ରତିବର୍ଷ ମଙ୍ଗଳା ନଦୀ ମୁହାଣ ଗତିପଥ ବଦଳୁଛି। ବିଭିନ୍ନ ସମୟରେ ପ୍ରାକୃତିକ ମୁହାଣ ପୋତିହୋଇ ଭିନ୍ନ ଜାଗାରେ ନୂଆ ଧାର ସୃଷ୍ଟି ହେଉଛି। ଗତ କିଛିଦିନ ହେବ ମଙ୍ଗଳା ନଦୀ ମୁହାଣ ପୋତିହୋଇ ସଙ୍କୁଚିତ ହୋଇଯାଇଥିଲା। ଏବେ ଏହି ପ୍ରାକୃତିକ ମୁହାଣ ସମ୍ପୂର୍ଣ୍ଣ ଭାବେ ପୋତିହୋଇ ପ୍ରାୟ ୪୦୦ ମିଟର ଦୂରକୁ ଘୁଞ୍ଚତ୍ ଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ଦୁଇଟି ନୂଆ ଧାର ଖୋଲିଛି। ବାରମ୍ବାର ମଙ୍ଗଳା ନଦୀ ମୁହାଣ ଗତିପଥ ପରିବର୍ତ୍ତନ କରୁଥିବାରୁ ଏହା ସ୍ଥାନୀୟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ନୂଆ କରି ଖୋଲିଥିବା ଦୁଇଧାର ବନ୍ଧ ଖାଉଥିବାରୁ ବାଲିବସ୍ତା ପକାଯାଇଛି।
ହୋଟେଲ ଷ୍ଟର୍ଲିଂ ପଛପାର୍ଶ୍ୱରେ ମଙ୍ଗଳା ନଦୀ ସମୁଦ୍ରରେ ମିଶିଛି। କିନ୍ତୁ ଅଧିକାଂଶ ସମୟରେ ମଙ୍ଗଳା ନଦୀର ଏହି ପ୍ରାକୃତିକ ମୁହାଣ ପୋତି ହୋଇଯାଉଛି। ଫଳରେ ସମୁଦ୍ର ଓ ନଦୀର ଜଳରାଶି ଅନେକ ସ୍ଥାନରେ ମୁହାଣ ସୃଷ୍ଟି କରି ସ୍ଥଳ ଭାଗ ଆଡ଼କୁ ମାଡ଼ୁଛି। ନିକଟରେ ଷ୍ଟର୍ଲିଂ ପଛ ପାର୍ଶ୍ୱରେ ଥିବା ମୁହାଣ ପୋତି ହୋଇଯାଇଛି। ଚାରିୟଟ ହୋଟେଲ ପଛ ପାର୍ଶ୍ୱରେ ପ୍ରାୟ ୩୦ ଫୁଟ ଚଉଡ଼ାର ଦୁଇଟି ଧାର ଖୋଲିଯାଇଛି। ଏହି ଦୁଇଧାର କିଛି ବାଟରେ ମିଶି ମଙ୍ଗଳା ନଦୀରେ ସଂଯୋଗ ହୋଇଛି। ଫଳରେ ଏହି ଧାର ନୂଆ ମୁହାଣ ଭାବେ ପରିଚିତ ହେଉଛି। ଏ ସମ୍ପର୍କରେ ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତ କହିଛନ୍ତି, ମୁହାଣ ଘୁଞ୍ଚତ୍ବା ଏକ ସ୍ବାଭାବିକ ପ୍ରକ୍ରିୟା। ଏହା ପୁଣି ଯେଉଁଠି ଥିଲା ସେଠାକୁ ଚାଲି ଆସିବ। ଏହାର ସ୍ଥାୟୀ ପ୍ରତିକାର ପାଇଁ ମୁହାଣ ଉଭୟ ପାର୍ଶ୍ୱରେ ଅଧକିଲୋମିଟର ପର୍ଯ୍ୟନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ ଲାଗି ନକ୍ସା ତିଆରି କରାଯାଇଛି। କେନ୍ଦ୍ର ସରକାରଙ୍କ ଆଇସିଜେଡ୍‌ଏମ୍‌ପି (ସମନ୍ବିତ ଉପକୂଳ ଜୋନ ପରିଚାଳନା ପ୍ରକଳ୍ପ) ଯୋଜନାରେ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ। ଏଥିପାଇଁ ୮.୨୩ କୋଟି ଟଙ୍କାର ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇ ଅନୁମୋଦନ ପାଇସାରିଛି। ଏହି ଅର୍ଥରାଶି ମଧ୍ୟ ବଢ଼ିପାରେ। ଖୁବ୍‌ଶୀଘ୍ର ଟେଣ୍ଡର ପରେ କାମ ଆରମ୍ଭ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କୌଣସି ସମୟରେ ମଙ୍ଗଳା ନଦୀ ଓ ସମୁଦ୍ରର ଉଛୁଳା ଜଳରାଶି ଯଦି କୂଳ ଲଙ୍ଘି ପୁରୀ ସହରରେ ପଶେ ତା’ହେଲେ ଧନଜୀବନ କ୍ଷୟକ୍ଷତି ହେବ। ତେଣୁ ଏହାକୁ ଏଡ଼ାଇବା ପାଇଁ ଆଇସିଜେଡ୍‌ଏମ୍‌ପି ଯୋଜନା ପ୍ରସ୍ତୁତ କରିଛି।

Share