Categories: ଖେଳ

ଗତ ଦଶନ୍ଧିରେ ଭାରତୀୟ ଫୁଟବଲ ଉନ୍ନତି କରିଛି: ଛେତ୍ରୀ

ନୂଆଦିଲ୍ଲୀ, ୩୧।୭(ପି.ଟି.)- ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଫୁଟବଲର ଉନ୍ନତି ହୋଇଛି ବୋଲି ତାରକା ଫୁଟବଲର ସୁନୀଲ ଛେତ୍ରୀ କହିଛନ୍ତି। ତେବେ ଅନ୍ୟ ଶକ୍ତିଶାଳୀ ଏସୀୟ ଦେଶ ତୁଳନାରେ ଭାରତ ପଛରେ ରହିଛି। ଖାସ୍‌ କରି ତୃଣମୂଳ ସ୍ତରରେ ଓ ପ୍ରତିଭା ଅନ୍ବେଷଣ ଓ ବିକାଶରେ ଭାରତ ଏବେ ବି ବହୁତ ପଛରେ ପଡିଛି ବୋଲି ସେ କହିଛନ୍ତି। ଏହି ଏସୀୟ ପାଓ୍ବାରହାଉସ୍‌ ତଥା ଦେଶଗୁଡିକ ସହ ଭାରତର ବ୍ୟବଧାନ କମ୍‌ କରିବାକୁ କାର୍ଯ୍ୟକରିବାର ଆବଶ୍ୟକତା ରହିଛି। ଏସିଆର ଶ୍ରେଷ୍ଠ ୧୦ଟି ଦେଶଗୁଡିକ ମଧ୍ୟରେ ଭାରତ ସାମିଲ ହେବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଟପ୍‌ ୧୦ରେ ସାମିଲ ହେବା ଏବେ ମଧ୍ୟ ଭାରତ ପାଇଁ ଏକ ବଡ଼ ସ୍ବପ୍ନ ସଦୃଶ ହୋଇଛି। ଆମର ଯେତେ ଉନ୍ନତି ହେଉଥିଲେ ମଧ୍ୟ ଏହି ଦେଶଗୁଡିକ ତୁଳନାରେ ନଗନ୍ୟ ମନେହେଉଛି। ତେବେ ଭାରତ ଠିକ୍‌ ଦିଗରେ ଅଗ୍ରଗତି କରୁଛି ବୋଲି ଛେତ୍ରୀ କହିଛନ୍ତି।
ପ୍ରତିଭା ଚିହ୍ନଟରେ ଆମେ ଏବେ ବି ଆଶାନୁରୂପ କାର୍ଯ୍ୟ କରିପାରିନାହୁଁ। ଭିତ୍ତିଭୂମୀ ବିକାଶରେ ମଧ୍ୟ ଆମେ ପଛରେ ପଡିଛୁ। ଏବେ ବି ବହୁତ ଦୂର ଯିବାକୁ ବାକି ଅଛି। ଏତିକିରେ ସନ୍ତୁଷ୍ଟ ହେଲେ ଚଳିବ ନାହିଁ। ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। ଆମ ଦେଶରେ ଲୋକସଂଖ୍ୟା ୧୩୦ କୋଟି ହୋଇଥିବାରୁ ପ୍ରତିଭା ନିଶ୍ଚିତ ରହିଛି। କେବଳ ଚିହ୍ନଟ ଓ ବିକାଶ କରିବାର ଆବଶ୍ୟକତା ରହିଛି। ଭାରତୀୟ ୧୭ ବର୍ଷରୁ କମ୍‌ ଦଳର ଅଧିନାୟକ ଅମରଜିତ ସିଂ ଓ ନରିନ୍ଦର ଗାହଲଟ ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ଉଦାହରଣ ସୃଷ୍ଟି କରିଛନ୍ତି ଓ ଦେଶ ପାଇଁ ଆଶା ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଛେତ୍ରୀ ଏପର୍ଯ୍ୟନ୍ତ ଭାରତ ପାଇଁ ୧୧୧ଟି ମ୍ୟାଚ୍‌ ଖେଳି ୭୧ଟି ଗୋଲ ସ୍କୋର କରିଛନ୍ତି। ନୂଆ କୋଚ୍‌ ଆଇଗର ଷ୍ଟିମକ୍‌ କାର୍ଯ୍ୟଶୈଳୀକୁ ସେ ପ୍ରଶଂସା କରିଛନ୍ତି। ୧୯୯୮ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୋଏସିଆ ଦଳର ସଦସ୍ୟ ଥିଲେ ଷ୍ଟିମାକ୍‌। ଆଘାତ ସମସ୍ୟା କାରଣରୁ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭଲ ପ୍ରଦର୍ଶନ କରିପାରି ନ ଥିଲା ବୋଲି ସେ କହିଛନ୍ତି। ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତ ଏକ ମଜାଦାର ତଥା ରୋଚକ ଗ୍ରୁପ୍‌ରେ ସାମିଲ ହୋଇଛି। ତେବେ ଏଥିରେ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ପରୀକ୍ଷାର ସମ୍ମୁଖୀନ ହେବ। ଘରୋଇ ପରିବେଶରେ ଓମାନ ଓ ପରେ ଆଓ୍ବେ ମ୍ୟାଚ୍‌ରେ ଭାରତ କାତାରକୁ ଭେଟିବ। ସବୁ ଖେଳାଳି ଇଞ୍ଜୁରି ଫ୍ରି ଥିବାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଛେତ୍ରୀ ଆଶା ପ୍ରକାଶ କରିଛନ୍ତି।

Share