ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ଏହାସତ୍ୱେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୫ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ହଜାର ୭୫୦ ଟପିଛି। ସେଥିମଧ୍ୟରୁ ୬୧,୧୪୯ଜଣ ଚିକିତ୍ସିତ ହେଉଥିବା ବେଳେ ୪୨,୨୯୮ସୁସ୍ଥ ଓ ୩,୩୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଦେଶ ତୁଳନାରେ ଭାରତର କରୋନା ସ୍ଥିତି ଭଲ ରହିଛି। ଅନ୍ୟ ୧୫ ଦେଶରେ ଭାରତ ତୁଳନାରେ କରୋନା ମୃତ୍ୟୁ ୮୩ ପ୍ରତିଶତ ଅଧିକ ଥିବା ବେଳେ ଏଠାରେ ମୃତ୍ୟୁହାର କମ୍ ରହିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅପରପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫,୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ଏବେ ବଢ଼ିଯାଇଛି।