ଗତ ୫ ବର୍ଷରେ ପଛୁଆବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ପଛୁଆ ବର୍ଗ ଅର୍ଥ ସମବାୟ ନିଗମ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ଆତ୍ମନିଯୁକ୍ତି ପାଇଁ ଏସସି, ଏସ୍‌ଟି, ସଂଖାଲଘୁ ଏବଂ ପଛୁଆବର୍ଗ ଯୁବତୀଯୁବକଙ୍କୁ ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମ ଋଣ ଦେଇନାହିଁ। ଜାତୀୟ ପଛୁଆ ବର୍ଗ ଅର୍ଥ ଉନ୍ନୟନ ନିଗମ, ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମକୁ ଏହି ସମୟ ମଧ୍ୟରେ କୌଣସି ଅର୍ଥ ପ୍ରଦାନ କରି ନ ଥିବାରୁ ଋଣ ଦିଆଯାଇ ପାରି ନାହିଁ ବୋଲି ଏସ୍‌ଟି ଏସ୍‌ସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ସମବାୟ ନିଗମ ଜରିଆରେ କେତେଜଣ ହିତାଧିକାରୀଙ୍କୁ ଆତ୍ମନିଯୁକ୍ତି ଓ ଋଣ ଦିଆଯାଇଛି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ନିଗମ ମାଧ୍ୟମରେ ଦକ୍ଷତା ବୃଦ୍ଧି ତାଲିମ କରାଯାଉଛି। ଗତ ୫ ବର୍ଷରେ ୭୮୮ଜଣ ପଛୁଆ ବର୍ଗ ଯୁବତୀଯୁବକଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଯୋଗାଇ ଦେବା ପାଇଁ ୧ କୋଟି ୩୨ ଲକ୍ଷ ୪୭, ୬୫୮ ଟଙ୍କା ଖର୍ଚ୍ଚ କରାଯାଇଛି।

Share