ଗମ୍ଭୀରଙ୍କ ସହ ବିଶେଷ ମୁହୂର୍ତ୍ତ ଅପାସୋରା

ରାଜ୍ୟ କ୍ରିକେଟ୍‌ରେ କ୍ରିଷ୍ଣା ପଲାଇ ଜଣେ ନବାଗତ ଚେହେରା। ରାଉରକେଲାରେ ତାଙ୍କର ଜନ୍ମ୍ମ। ସ୍ପିନ୍‌ ବୋଲର ଭାବେ ସେ ଓଡ଼ିଶା ପକ୍ଷରୁ ପ୍ରତିନିିଧିତ୍ୱ କରନ୍ତି। ପିତା ଅଭିମନ୍ୟୁ ପଲାଇ ଓ ମା’ ଘୋଷାମଣି ପଲାଇଙ୍କ ପୁଅ କ୍ରିଷ୍ଣାଙ୍କ ଅନୁଭୂତିରୁ କିଛି…

ଆଜି ମୋତେ ଯାହା ବି ମିଳିଛି ସେସବୁ ପଛରେ ମୋ ପରିବାର ଲୋକଙ୍କ ଭଲପାଇବା ହିଁ ଅଛି। ସେମାନଙ୍କ ସହଯୋଗ ବିନା ମୁଁ କିଛି ବି ନୁହେଁ। ମୋ ବାପା ଅଭିମନ୍ୟୁ ଜଣେ ଅଟୋଚାଳକ। ମୁଁ ଏବେ ଓଡ଼ିଶା ସିନିିୟର କ୍ରିକେଟ ଦଳର ଖେଳାଳି। ଏହାଠାରୁ ବଡ଼ କଥା ଆଉ କ’ଣ ଥାଇପାରେ ! ଅଟୋ ଚଳାଇ ଗୋଟିଏ ପରିବାରର ବୋଝ ବୋହୁଥିବା ପିତାର ପୁଅ ହୋଇ ଏତିକି ଶିଖିଛି, ଜୀବନରେ କେବେ ହାର ମାନିବନିି। ସଂଘର୍ଷର ଫଳ ମିଠା। ଯଦି ତୁମେ ଠିକ୍‌ କାର୍ଯ୍ୟ କରୁଛ, ତା’ହେଲେ ଭଗବାନ ତୁମକୁ ଏହାର ଫଳ ନିିଶ୍ଚିତ ଦେବେ। ମୋ ବାପାଙ୍କଠାରୁ ଅନେକ କଥା ଶିଖିଛି, ଯାହା ଏବେ ମୋ ଜୀବନର ପ୍ରତିଟି କ୍ଷେତ୍ରରେ କାର୍ଯ୍ୟରେ ଲାଗୁଛି। ତାଙ୍କ ପାଇଁ ମୁଁ ଗର୍ବ ଅନୁଭବ କରେ। ପରିବାରର ଆର୍ଥତ୍କ ଅବସ୍ଥା କିପରି ଅଛି, ତାହା ସେ କେବେ ଆମକୁ ଅନୁଭବ କରିବାକୁ ଦେଇ ନାହାନ୍ତି। ୨ ବଡ଼ ଭଉଣୀରେ ମୁଁ ଏକମାତ୍ର ସାନ ଭାଇ। ବଡ଼ ଭଉଣୀ ପିଙ୍କି ଏବେ ଚାକିରି କରି ବାପାଙ୍କ କାନ୍ଧର ଭାରକୁ ସହଜ କରି ଦେଇଛନ୍ତି। ସାନ ଭଉଣୀ ରିଙ୍କିର ପଢ଼ାପଢ଼ି ଜାରି ରହିଛି। ପରିବାର ପାଇଁ ଏବେ ସୁଦ୍ଧା ମୋର କିଛି ବଡ଼ ଅବଦାନ ନାହିଁ। ଏମାନଙ୍କ ପାଇଁ ବହୁତ କିଛି କାମ କରିବି ବୋଲି ମୋର ବିଶ୍ୱାସ ଅଛି।
କ୍ରିଷ୍ଣା ନିଜର ଏକ ଅନୁଭୂତି ସମ୍ପର୍କରେ କୁହନ୍ତି, ବିଜୟ ହଜାରେ ଟ୍ରଫିର ୨୦୧୮ ସଂସ୍କରଣରେ ପ୍ରଥମଥର ନିମନ୍ତେ ରାଜ୍ୟ ସିନିୟର ଦଳରେ ସାମିଲ ହୋଇଥିଲି। ଦିଲ୍ଲୀରେ ଏକ ମ୍ୟାଚ୍‌ ଖେଳା ଯାଇଥିଲା। ଅଭ୍ୟାସ ସମୟରେ ଅନେକ ଅନ୍ତର୍ଜାତୀୟ ତାରକା ଖେଳାଳିଙ୍କ ସହ ଭେଟ ହୋଇଥିଲା। ରିଷଭ ପନ୍ଥ, ସୁରେଶ ରାଇନାଙ୍କ ସହ ସେଲଫି ନେଇଥିଲି। ହେଲେ ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ମୋ ପାଇଁ ଅପାସୋରା ହୋଇ ରହିବ। ମୁଁ ବୋଲିଂ କରୁଥିବା ବେଳେ ସେ ଦୂରରେ ଛିଡ଼ା ହୋଇ ଦେଖୁଥିଲେ। କିଛି ମିନିଟ୍‌ ପରେ ପାଖକୁ ଆସି ମୋ ବୋଲିଂ ଦେଖିଲେ। ପରେ ଭଲ ବୋଲିଂ କରୁଛ ବୋଲି କହିଥିଲେ ଓ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

Share