Categories: ମେଟ୍ରୋ

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ତ୍ରାହି ତ୍ରାହି ଡାକୁଛନ୍ତି। ଖରା ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ହାତ, ମୁହଁ ଜଳି ପୋଡ଼ି ଯାଉଛି। ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଉପକୂଳ ପ୍ରଚଣ୍ଡ ଗ୍ରୀଷ୍ମରୁ ବର୍ତ୍ତିପାରି ନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପର ମୁହଁା ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡ଼ିଛି। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲେ ମଧ୍ୟ ଓଡ଼ିଶାକୁ କେବେ ଆସିବ, ସେ ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ଆସନ୍ତା ୧୫ ତାରିଖ ଯାଏ ଏଭଳି ପ୍ରଚଣ୍ଡ ଗରମରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଏ ପର୍ଯ୍ୟନ୍ତ ହୋଇ ନ ଥିବାରୁ ପରିବେଶ ଉତ୍ତପ୍ତ ହୋଇ ରହିଛି। କଁା ଭଁା କାଳବୈଶାଖୀ ବର୍ଷା ହେଉଥିଲେ ମଧ୍ୟ ତାତି ରୋକିବାରେ ସହାୟକ ହେଉ ନାହିଁ।
ମଙ୍ଗଳବାର ରାଜ୍ୟର ୧୩ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହିଥିବା ବେଳେ ୪ ସହରରେ ତାପମାତ୍ରା ୪୪ଡିଗ୍ରୀ ସେଲ୍‌ସିୟସ ଉପରକୁ ଉଠିଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସମ୍ବଲପୁରରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ହୀରାକୁଦ ୪୪.୪, ଝାରସୁଗୁଡ଼ା ୪୪.୨, ସୋନପୁର ୪୪, ଟିଟିଲାଗଡ଼ ୪୩.୪, ତାଳଚେର ୪୨.୫, ବଲାଙ୍ଗୀର ୪୧.୮, ଅନୁଗୋଳ ୪୧.୭, ସୁନ୍ଦରଗଡ଼ ୪୧, ଭବାନୀପାଟଣା ୪୦.୬, ଭୁବନେଶ୍ୱର ୪୦.୩, ମାଲକାନଗିରି ୪୦.୨ ଏବଂ ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଏହି ସମୟରେ କୋରାପୁଟ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବା ସମ୍ଭାବନା ରହିଛି।

Share