ଗରମ ଚା’ ପିଉଥିଲେ…

ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନସର୍‌ର ଆଶଙ୍କା ରହିଛି। ନିକଟରେ ହୋଇଥିବା ଏକ ଗବେଷଣା ତଥ୍ୟରୁ ଏହା ଜାଣିବାକୁ ମିଳିଛି। ଗବେଷଣାର ତଥ୍ୟ ଅନୁଯାୟୀ ଯେଉଁମାନେ ଦୈନନ୍ଦିନ ୭୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ଚା’ ପିଇଥାନ୍ତି, ସେମାନଙ୍କ ମଧ୍ୟରେ ଏହି କ୍ୟାନସର୍‌ ଆଶଙ୍କା ଦ୍ୱିଗୁଣା ବୃଦ୍ଧି ପାଇଥାଏ। ଅନେକଙ୍କ ଅଭ୍ୟାସ ଥାଏ, କପ୍‌ରେ ଚା’ ଢଳାଯିବା ମାତ୍ରକେ ପିଇବା ଆରମ୍ଭ ହୋଇଯାଏ। ଯଦି ଏ ଅଭ୍ୟାସ ଆପଣଙ୍କର ବି ରହିଛି, ତେବେ ଏବେଠାରୁ ସାବଧାନ ହୋଇଯାନ୍ତୁ। କାରଣ ଚା’ କପ୍‌ରେ ଢଳାଯିବାର ୪ ମିନିଟ୍‌ ପରେ ପିଇବା ଦ୍ୱାରା ଏହି କ୍ୟାନସର୍‌ ଆଶଙ୍କା ସୃଷ୍ଟି ହୋଇ ନ ଥାଏ। ଆମେରିକାନ୍‌ କ୍ୟାନସର୍‌ ସୋସାଇଟିର ଲିଡ୍‌ ଆର୍ଥର୍‌ ଫରହଦ୍‌ ଇସ୍‌ଲାମୀଙ୍କ ମୁତାବକ, ଚା’, କଫି କମ୍ବା ଅନ୍ୟ କୌଣସି ଗରମ ପାନୀୟ ପଦାର୍ଥ ସ୍ବାସ୍ଥ୍ୟର ଶତ୍ରୁ ପାଲଟିଥାଏ। ଗବେଷଣାରେ ପ୍ରାୟ ୫୦ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କ ବୟସ ପ୍ରାୟ ୪୦ରୁ ୭୫ ବର୍ଷ ମଧ୍ୟରେ ଥିଲା। ନିଷ୍କର୍ଷରୁ ଜଣାପଡ଼ିଲା, ପ୍ରତିଦିନ ୭୦୦ ଏମ୍‌ଏଲ୍‌ ଗରମ ଚା’(୬୦ ଡିଗ୍ରୀ ସେଲ୍‌ସିୟସ୍‌ କିମ୍ବା ତା’ଠୁ ଅଧିକ ତାପାମାତ୍ରାର) ପିଇବା ଦ୍ୱାରା ଗଳା କ୍ୟାନସର୍‌ ଆଶଙ୍କା ୯୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।