ଗରମ ପ୍ରକୋପ: ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଆଇଲେ ଭକ୍ତ

ବାରାଣସୀ,୨୯।୫: ଉତ୍ତର ଭାରତରେ ଗରମର ପ୍ରକୋପ ବଢ଼ିବାରେ ଲାଗିଛି। ଗରମ ଯୋଗୁ ସାଧାରଣ ଲୋକଙ୍କ ବ୍ୟତୀତ ଭଗବାନ ବି ଏଥିରୁ ନିସ୍ତାର ପାଇପାରୁ ନାହାନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଲୋକମାନେ ନିଆରା ଢ଼ଙ୍ଗ ଆପଣାଇଛନ୍ତି। ଗରମ ଦାଉରୁ ରକ୍ଷା ପାଇବା ପାଇଁ ଭକ୍ତମାନେ ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ୍‌ ପିଆଇବା ସହ ଏସି ଓ ଫ୍ୟାନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବାରାଣସୀରେ। ସୂଚନାଯୋଗ୍ୟ, ଧର୍ମର ନଗରୀ କାଶୀରେ ଥିବା ବାବା ବଟୁକ ଭୈରବ ମନ୍ଦିରରେ ଭକ୍ତମାନେ ଭଗବାନଙ୍କୁ କୋଲ୍ଡ ଡ୍ରିଙ୍କ୍ସ ଓ ଚକୋଲେଟ୍‌ ଚଢ଼ାଉଥିବା ନଜର ଆସିଛି।

ଲକ୍‌ଡାଉନ ଯୋଗୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଏବେ ମନ୍ଦିର ବନ୍ଦ ରହିଥିବାରୁ ସେବକ ଓ ପୂଜକମାନେ ପୂଜାର୍ଚ୍ଚନା କରି ଏହାକୁ ଭୋଗ କରୁଥିବା ନଜର ଆସିଛି। ଏଥିସହ ଭଗବାନଙ୍କୁ ଗରମ ନ ଲାଗିବା ପାଇଁ ମନ୍ଦିରରେ ଏସି, ଫ୍ୟାନ ଇତ୍ୟାଦି ଲଗାଯାଇଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ବାବା ବଟୁକ ଭୈରବ ମନ୍ଦିରରେ ଏଭଳି କରାଯାଇଥାଏ ବୋଲି ମନ୍ଦିରର ପୂଜକ କହିଛନ୍ତି।

Share