ଗରିବଙ୍କୁ ଖାଦ୍ୟ ଯୋଗାଇବ ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କ୍ଷୁଧା ଦୂରୀକରଣ ତଥା ଗରିବଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ‘ସୋ ଆମ୍‌ ଆଇ(ସାଇ) ଫାଉଣ୍ଡେଶନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ କ୍ୟାମ୍ପେନ୍‌ ମାଧ୍ୟମରେ ଏକ ନୂଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଗୁରୁବାର କଳ୍ପନାଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ର ୩ୟ ଫୁଡ୍‌ ବ୍ୟାଙ୍କ୍‌ ଉଦ୍‌ଘାଟିତ ହୋଇଯାଇଛି। ଦୁଇଟି ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌ ଉଦ୍‌ଘାଟିତ ହେବା ସହ ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟପଦାର୍ଥ ଦାନ ଅଭିଯାନର ଶୁଭାରମ୍ଭ ହୋଇଛି। ପୂର୍ବତନ ପୋଲିସ ଡିଜି ତଥା ଲୋକାୟୁକ୍ତ ସଦସ୍ୟ ଡ. ଆର୍‌.ପି. ଶର୍ମା, ବରିଷ୍ଠ ସାହିତି୍ୟକା ଡ. ପ୍ରତିଭା ରାୟ, ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ପୋଲିସ ହାଉସିଂ କର୍ପୋରେଶନର ସିଏମ୍‌ଡି ଲଳିତ ଦାସ, ରୋଟାରୀ ଇଣ୍ଟରନ୍ୟାଶନାଲର ଅଜୟ ଅଗ୍ରଓ୍ବାଲ ଏବଂ ସୌମ୍ୟରଞ୍ଜନ ମିଶ୍ର, ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଫୁଡ୍‌ ବ୍ୟାଙ୍କ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।
ଏହି ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌ ସେବା ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ବେଳେ ଏହା ସହରର ବିଭିନ୍ନ ସ୍ଥାନରେ ଗରିବ ତଥା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବ। ସେହିଭଳି ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବିଭିନ୍ନ ଆପାର୍ଟମେଣ୍ଟ, ସୋସାଇଟି ଏବଂ ଘରଗୁଡ଼ିକରେ ସ୍ବତନ୍ତ୍ର ବ୍ୟାଗ୍‌ ରଖାଯାଇ ଖାଦ୍ୟପଦାର୍ଥ ସଂଗ୍ରହ କରାଯିବ। ଅପପୁଷ୍ଟି ଏବଂ ଖାଦ୍ୟାଭାବ ଭଳି ସମସ୍ୟାକୁ ଦୂର କରିବା ପାଇଁ ଫାଉଣ୍ଡେଶନ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ୨୦୨୫ ସୁଦ୍ଧା ଏହା ରାଜ୍ୟର ପ୍ରତ୍ୟେକ ଜିଲାରେ କାର୍ଯ୍ୟକ୍ଷମ ହେବ ବୋଲି ଏହାର ପ୍ରତିଷ୍ଠାତା ପିନାକୀ ମହାନ୍ତି ଏବଂ ସହଯୋଗୀ ଚିଦାତ୍ମିକା ଖଟୁଆ ସୂଚନା ଦେଇଥିଲେ। ଏହି ଅବସରରେ ନିଶିକାନ୍ତ ମିଶ୍ର, ବିମଳେନ୍ଦୁ ମହାନ୍ତି, ତନୟା ପଟ୍ଟନାୟକ, ଧୀରେନ୍ଦ୍ର କର, ସରଦ ବୈଦ, ମାତୃଦତ୍ତ ମିଶ୍ର, ଶାଳିନୀ କୋଠକୋଣ୍ଡା, ଅମ୍ବିକା ନନ୍ଦ, ଶୁଭେନ୍ଦୁ ପରିଡ଼ା, ସୁବାସ ଚନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share