ଗରିବଙ୍କୁ ଲୁଟୁଛନ୍ତି ଅଧିକାରୀ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରହିଛି ରାଜ୍ୟ ଶାସନ ଭାର। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେଉଥିବା ସରକାର ଦାବି କରୁଛନ୍ତି। ୩-ଟି/୫-ଟି ଏମିତି କେତେ କ’ଣ ମନ୍ତ୍ର ବିଧାୟକଙ୍କଠାରୁ ଆରମ୍ଭ କରି ଅଫିସରଙ୍କୁ ଦିଆଯାଉଛି। ନିଷ୍ଠାପର ଭାବେ ଲୋକମାନଙ୍କ ସେବା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ସରକାରୀ ବାବୁମାନେ ଏହାକୁ ବେଖାତିର କରି ଚାଲିଛନ୍ତି। ପ୍ରଶାସନର ତୃଣମୂଳସ୍ତରରୁ ଉପର ଯାଏ ଦୁର୍ନୀତି ଭର୍ତ୍ତି ହୋଇରହିଛି। କେବଳ ପଞ୍ଚାୟତିରାଜ ବିଭାଗକୁ ଅନୁଧ୍ୟାନ କଲେ ଦୁର୍ନୀତି କେଉଁ ସ୍ତରରେ ପହଞ୍ଚିଛି ତାହା ସହଜରେ ଅନୁମାନ କରାଯାଇପାରେ। ଇନ୍ଦିରାଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କା ଘର ଯୋଜନାରେ ଗ୍ରାମାଞ୍ଚଳ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପକ୍କାଘର ପାଇଁ ସରକାରୀ କର୍ମଚାରୀ ପୁଳାପୁଳା ହାତଗୁଞ୍ଜା ନେଉଥିବା ଘଟଣା ପଦାକୁ ଆସିଛି। ଖୋଦ୍‌ ରାଜ୍ୟ ସରକାର ମଧ୍ୟ ଏକଥା ସ୍ବୀକାର କରିଛନ୍ତି। ଗତ ୨ ବର୍ଷରେ ୮୩୬ଜଣ ଅଧିକାରୀ ଘର ଯୋଗାଇ ଦେବା ନଁାରେ ଗରିବ ଅସହାୟ ଲୋକଙ୍କୁ ଲୁଟ୍‌ କରିଛନ୍ତି।
କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ୨୦୧୭ରୁ ଏପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଜନା (ଆଇଏଓ୍ବାଇ)/ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଜି) (ପିଏମ୍‌ଏଓ୍ବାଇ), ଧାନଖଳା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେତେ ଦୁର୍ନୀତି ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର କାରଣ କ’ଣ ବୋଲି ପଚାରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ୨୦୧୭ରୁ ଏପର୍ଯ୍ୟନ୍ତ ଆଇଏଓ୍ବାଇ- ପିଏମ୍‌ଏଓ୍ବାଇ ଏବଂ ବିଜୁ ପକ୍କା ଘର ଯୋଜନାରେ ୮୩୬ଜଣ ଅଧିକାରୀ ଦୁର୍ନୀତିରେ ଜଡ଼ିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ସର୍ବାଧିକ ୧୬୨ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ଅନୁଗୋଳରେ ୪୦, ବାଲେଶ୍ୱରରେ ୨୪, ବରଗଡ଼ରେ ୧୮, ଭଦ୍ରକରେ ୬୧, ଢେଙ୍କାନାଳରେ ୬୦, କନ୍ଧମାଳରେ ୫୯, ଖୋର୍ଦ୍ଧାରେ ୪୬, ନବରଙ୍ଗପୁରରେ ୮୯, ନୂଆପଡ଼ାରେ ୮୧, ସମ୍ବଲପୁରରେ ୩୩ ଏବଂ ସୁନ୍ଦରଗଡ଼ରେ ସର୍ବାଧିକ ୫୮ଜଣ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨୨ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରାଯାଇଛି। ସେହିପରି ୭୯ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ବେଳେ ୨୬୮ଜଣଙ୍କୁ କାର୍ଯ୍ୟରୁ କାହିଁକି ଅନ୍ତର କରା ନ ଯିବ ସେ ନେଇ କାରଣ ଦର୍ଶାଅ ଏବଂ ୪୩୨ଜଣଙ୍କୁ ଦୁର୍ନୀତି ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Share