Categories: ବାଣିଜ୍ୟ

ଗରିବଙ୍କୁ ୨୮ ହଜାର କୋଟିର ସହାୟତା

ନୂଆଦିଲ୍ଲୀ,୧୨।୪: କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଉପୁଜିଥିବା ଲକ୍‌ଡାଉନ ସ୍ଥିତିରେ ଏବେ ଲୋକମାନେ ହଇରାଣ ହେଉଛନ୍ତି। ବିଶେଷକରି ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ଗରିବ ଲୋକମାନେ ଲକ୍‌ଡାଉନ ସମୟରେ ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ଗରିବଙ୍କୁ ୨୮,୨୫୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
କୋଭିଡ୍‌-୧୯ ପ୍ରଭାବକୁ କମ୍‌ କରିବା ଲାଗି ସରକାର ଲୋକଙ୍କ ଲାଗି ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ମାଗଣା ଖାଦ୍ୟଶସ୍ୟ, ବରିଷ୍ଠ ନାଗରିକ, ମହିଳା ଏବଂ କୃଷକଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି। ଲକ୍‌ଡାଉନ ସମୟରେ ଗରିବ ଲୋକମାନେ ଯେଭଳି ହଇରାଣ ନ ହୁଅନ୍ତି ତାକୁ ଧ୍ୟାନରେ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସରକାରଙ୍କ ଘୋଷଣା ମୁତାବକ ୩୦ କୋଟି ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପ୍ରଥମ କିସ୍ତି ଭାବେ ମୋଟ ୧୩,୮୫୫ କୋଟି ଟଙ୍କାର ଅର୍ଥ ସରକାର ପ୍ରଦାନ କରିଛନ୍ତି। ପ୍ରାୟ ୧୯.୯୬ କୋଟି ମହିଳାଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ୫୦୦ ଟଙ୍କା ଲେଖାଏ ଦିଆଯାଇଛି। ଏହି ବାବଦକୁ ମୋଟ ୯୯୩୦ ଟଙ୍କା ଟଙ୍କା ହସ୍ତାନ୍ତର ହୋଇଛି।
ସେହିଭଳି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି)ରେ ୨.୮୨ କୋଟି ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କୁ ୧୪୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ପ୍ରତି ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଏଥିରେ ଦିଆଯାଇଛି। ସେହିଭଳି ୨.୬ କୋଟି ନିର୍ମାଣ ଶ୍ରମିକଙ୍କୁ ବିଲ୍‌ଡିଂ ଆଣ୍ଡ କନ୍‌ଷ୍ଟ୍ରକଶନ ଓ୍ବାର୍କର୍ସ ଫଣ୍ଡରୁ ୩୦୬୬ କୋଟି ଟଙ୍କା ଦିଆଯାଇଛି। ଏହି ଫଣ୍ଡ ସାଧାରଣତଃ ରାଜ୍ୟ ସରକାରଗୁଡିକ ପରିଚାଳନା କରିଥାନ୍ତି। ଏପ୍ରିଲରୁ ଜୁନ୍‌ ଅବଧିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନ କେନ୍ଦ୍ର ସରକାର ୧୨ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଯୋଗାଇଦେବେ। ଏହାଦ୍ୱାରା ୮୦ କୋଟି ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କିଲୋ ଖାଦ୍ୟଶସ୍ୟ ପ୍ରଦାନ କରାଯିବ। ଏହାବାଦ ମାଗଣା ରାଶନ ୨ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିବା ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Share