ଗରିବଙ୍କ ରାଶନ ଖାଉଥିଲେ ଅଯୋଗ୍ୟ ହିତାଧିକାରୀ: ଧରାପକାଇଲା ଆଧାର

ଭୁବନେଶ୍ୱର,୩।୯(ବ୍ୟୁରୋ): ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅଯୋଗ୍ୟ ହିତାଧିକାରୀ ଗତ ୪ବର୍ଷ ହେବ ଗରିବଙ୍କ ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ ଚାଉଳ, ଗହମ ଲୁଟି ନେଉଥିଲେ। ଗାଡ଼ି ଘୋଡ଼ା, କୋଠାଘର, ଏକର ଏକର ସମ୍ପତ୍ତି, ସରକାରୀ ଚାକିରି ଥିବା ଅଯୋଗ୍ୟ ହିତାଧିକାରୀ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା (ଏନ୍‌ଏଫ୍‌ଏସ୍‌ଏ)ରେ ଗରିବଙ୍କ ଖାଦ୍ୟ ସାମଗ୍ରୀ ହଡ଼ପ କରୁଥିଲେ। ତାହା ପୁଣି ଖୋଦ୍‌ ସରକାରୀ ବାବୁମାନଙ୍କ ଜ୍ଞାତସାରରେ। ରାଶନ କାର୍ଡ ସହ ଆଧାର ସଂଯୋଗ ହେବା ପରେ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଲକ୍ଷ ୭୯ ହଜାର ଅଯୋଗ୍ୟ ହିତାଧିକାରୀ ଏନ୍‌ଏଫ୍‌ଏସ୍‌ଏରୁ ବାଦ୍‌ ପଡ଼ିଛନ୍ତି। ସେଥିରୁ ୮ଲକ୍ଷ ୧୮ ହଜାର ଏନ୍‌ଏଫ୍‌ଏସ୍‌ଏ କାର୍ଡଧାରୀ ଆଧାର ଲିଙ୍କ ପରେ ବାଦ୍‌ ପଡ଼ିଥିବା ବେଳେ ୨ ଲକ୍ଷ ୬୧ ହଜାର କାର୍ଡଧାରୀଙ୍କ ମୃତ୍ୟୁ ହୋଇସାରିଛି। ତେବେ ଏହି ଅଯୋଗ୍ୟ ଏବଂ ମୃତ ବ୍ୟକ୍ତିଙ୍କ କାର୍ଡରେ ବର୍ଷ ବର୍ଷ ଧରି କିପରି ରାଶନ ଲୁଟି ଚାଲିଥିଲେ ଏବଂ ଏହା ଜାଣି ମଧ୍ୟ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ ଓ କେଉଁମାନଙ୍କୁ ବାଦ୍‌ ଦିଆଯିବ ସେ ନେଇ ରାଜ୍ୟ ସରକାର ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଗାଇଡ୍‌ ଲାଇନ୍‌ ଅନୁଯାୟୀ ୬ଟି ମାନଦଣ୍ଡ ଆଧାରରେ ଗରିବ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏରେ ସାମିଲ କରାଯାଉଥିବା ବେଳେ ୯ଟି ମାନଦଣ୍ଡ ଆଧାରରେ ସ୍ବଚ୍ଛଳ ବର୍ଗଙ୍କୁ ଏଥିରୁ ବାଦ୍‌ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ତଥ୍ୟ ଗୋପନ ରଖି ଲକ୍ଷଲକ୍ଷ ଅସାଧୁ ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ଭରପୂର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ଏ ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧରପଗଡ଼ ମଧ୍ୟ ଜୋରଦାର ହୋଇଥିଲା। କେତେକ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହୋଇଥିଲା। ବେଆଇନ ଭାବେ ନେଇଥିବା ଖାଦ୍ୟ ଶସ୍ୟ ବାବଦରେ ବଜାର ଦର ଅର୍ଥ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରି କି ଗଞ୍ଜାମ ଜିଲାର ୯ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯାଇଥିଲା। ତନାଘନା ଯୋଗୁ ଲକ୍ଷଲକ୍ଷ ସଂଖ୍ୟାରେ ବେଆଇନ ରାଶନ କାର୍ଡଧାରୀ ଭୟରେ ଫେରାଇ ଦେଇଥିଲେ। ଖାଦ୍ୟ ଶସ୍ୟ ବାବଦରେ ବେଆଇନ ରାଶନ କାର୍ଡଧାରୀଙ୍କ ଠାରୁ ୪୨ କୋଟି ୧୩ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିଯୋଗୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟ୍‌କା ମଧ୍ୟ ଲାଗିଥିଲା। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ପଞ୍ଚାୟତରେ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। କାଳେ ୨୦୧୯ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ଏଥିପାଇଁ ଗୋଇନ୍ଦା ସୂଚନା ଆଧାରରେ ରାଜ୍ୟ ସରକାର ବେଆଇନ ହିତାଧିକାରୀଙ୍କଠାରୁ ଆଦାୟ କରିଥିବା ଜରିମାନା ରାଶି ଫେରାଇବା ସହ ମକଦ୍ଦମା ଉଠାଇ ଦେଇଥିଲେ। ଆଦାୟ ହୋଇଥିବା ରାଶିରୁ ୩୬ କୋଟି ୨୭ ଲକ୍ଷ ୫୫ ହଜାର ୭୮୫ ଟଙ୍କା ସରକାର ବେଆଇନ ରାଶନକାର୍ଡଧାରୀଙ୍କୁ ଫେରାଇ ଦେଇଥିଲେ। ଏହାର ସୁଯୋଗ ନେଇ ପୁଣି ବେଆଇନ ଏବଂ ଅସାଧୁ ଲୋକମାନେ ଏନ୍‌ଏଫ୍‌ଏସ୍‌ଏ କାର୍ଡ ହାତେଇବାରେ ସଫଳ ହୋଇଥିଲେ। କେନ୍ଦ୍ର ସରକାର ଯୋଗାଉଥିବା ଗରିବଙ୍କ ଖାଦ୍ୟ ସାମଗ୍ରୀ ଲୁଟ୍‌ କରିଚାଲିଲେ। ରାଜ୍ୟ ସରକାର ଏସବୁ ଜାଣି ମଧ୍ୟ ଦେଖି ନ ଦେଖିଲା ପରି ଚୁପ୍‌ ରହିଲେ। ତେବେ ଆଧାର କାର୍ଡକୁ ରାଶନ କାର୍ଡ ସହ ଶତପ୍ରତିଶତ ସଂଯୋଗ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଲେ। ଆଧାର ସଂଯୋଗ ନ ହେଲେ ରାଶନ ଯୋଗାଇ ଦିଆଯିବ ନାହିଁ ବୋଲି ପରୋକ୍ଷ ଚେତାବନୀ ଦେଲେ। ଏଭଳି ନିର୍ଦ୍ଦେଶ ପରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୯୭ ପ୍ରତିଶତ ପରିବାରଙ୍କୁ ଆଧାର ସହ ସଂଯୋଗ କରାଯାଇଛି। ଆଧାର ସଂଯୋଗ ହେବା ପରେ ଚୋରି ଛୁପି ରାଶନ ଲୁଟ୍‌ କରୁଥିବା କଳାକାରନାମାର ଫର୍ଦ୍ଦାଫାଶ ହୋଇଛି। ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୧୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ଚାଉଳ ପାଉଥିବା ସମ ପରିମାଣ ଲୋକଙ୍କୁ ସାମିଲ କରାଯାଇଛି। ରାଜ୍ୟ ସରକାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ବାଦ୍‌ ପଡ଼ିବା ଯୋଗୁ କାଳେ କୋଟା କମିଯିବ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଏନ୍‌ଏଫ୍‌ଏସ୍‌ରେ ସାମିଲ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏନ୍‌ଏଫ୍‌ଏସ୍‌ରୁ ବାଦ୍‌ ପଡିଥିବା ୨୫ଲକ୍ଷ ଲୋକଙ୍କୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ଯୋଗାଇ ଦେଉଥିଲେ। ସେଥିରୁ ୧୧ଲକ୍ଷ ଲୋକଙ୍କୁ ବାଦ୍‌ ଦିଆଯାଇଛି। ତେବେ ୧୦୦ ପ୍ରତିଶତ ଆଧାର ଲିଙ୍କ ହେବା ପରେ ଆହୁରି ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିବେ ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଯେଉଁ ଅଯୋଗ୍ୟ ହିତାଧିକାରୀ ଖାଦ୍ୟ ସାମଗ୍ରୀ ଲୁଟୁଥିଲେ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ନା ଭୋଟ ଭୟରେ ଏହାକୁ ଅଣଦେଖା କରିବେ ଏ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ତାରିଖ ସୁଦ୍ଧା ସରିବ E-KYC

ଭୁବନେଶ୍ୱର,୧ା୧: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କଓ୍ବୋଇସିକୁ ନେଇ ନୂଆବର୍ଷରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧୫ ତାରିଖ ସୁଦ୍ଧା...

ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର,୧।୧: ଓଡ଼ିଶାରେ ଆସନ୍ତା ଫେବୃଆରୀ ମାସରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫...

ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି

ଭୁବନେଶ୍ୱର,୧।୧: ଗୁରୁବାର ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପତି। ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ୩ ତାରିଖରେ...

ନୂଆବର୍ଷରେ ବଡ଼ ଅଘଟଣ: ଜଳିପୋଡ଼ି ଛାରଖାର ହେଲା…

କଟକ,୧।୧: କଟକ ଜିଲା ନିଆଳି ମାଧବ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟଇଛି। ନିଆଁରେ ୧୨ ବଖରା ଘର ଜଳି ଯାଇଛି। ନିଆଳି ଥାନା ଅନ୍ତଗର୍ତ ମାଧବ...

ପୁରୀରେ ଅସମ୍ଭାଳ ଭିଡ଼: ଠେଲାପେଲାର ଭାଙ୍ଗିଲେ ବ୍ୟାରିକେଡ୍‌

ଭୁବନେଶ୍ୱର,୧।୧(ଅଜିତ୍ କୁମାର ମହାନ୍ତି): ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି। ଲୋକେ ସିଂହଦ୍ବାର...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ନବବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ କୃପାରୁ…

ଭୁବନେଶ୍ୱର,୧।୧: ମୁଖ୍ୟମନ୍ତ୍ରୀ ମୋହନ ମାଝି ଇଂରାଜି ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ...

୨୦୦ ଆପରାଧିକ ମାମଲା, ୧୬୦ ସରକାରୀ ବାବୁ ଗିରଫ

ଭୁବନେଶ୍ୱର,୧ା୧(ସତ୍ୟଜିତ୍‌ ରାଉତ):ସରକାରୀ ଅର୍ଥ ଆତ୍ମସାତ୍‌ ହେଉ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଲାଞ୍ଚ ମାମଲା। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri