Categories: ଜାତୀୟ

ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଲାଭାନ୍ବିତ ହେବେ ୬ ରାଜ୍ୟର ଶ୍ରମିକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ। ଏହାର ମୂଳ ଲକ୍ଷ୍ୟ ହେଉଛି ବାହାର ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ ଯେତେଶୀଘ୍ର ସମ୍ଭବ ରୋଜଗାର ଯୋଗାଇଦେବା। ଅର୍ଥମନ୍ତ୍ରୀ କହିଥିଲେ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟଗ୍ର ହୋଇ ଉଠିଥିଲେ। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଏମାନଙ୍କ ମଧ୍ୟରେ ବିଶେଷ ଭାବେ ୬ ରାଜ୍ୟର ୧୧୬ ଜିଲାର ଶ୍ରମିକ ଥିଲେ। ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନର ଅଧିକାଂଶ ଶ୍ରମିକ ଘର ବାହୁଡା ହୋଇଛନ୍ତି। ତେବେ ୧୨୫ ଦିନ ମଧ୍ୟରେ ୧୧୬ ଜିଲା ପାଇଁ ସରକାରଙ୍କର ପାଖାପାଖି ୨୫ ଯୋଜନାକୁ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ରେ ସାମିଲ କରାଯିବ। ଏହି ଅଭିଯାନ ଗ୍ରାମୀଣ ଭାରତରେ ରୋଜଗାରର ନୂଆ ଅବସର ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Share