ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ କରୋନା ମହାମାରୀ ଯୋଗୁ ପୃଥିବୀର ଗରିବ ଦେଶ ଅଧିକ ପ୍ରଭାବିତ ହେବେ। ଏସବୁ ଦେଶରେ ୧୦୦କୋଟି ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ସେହିପରି ଏସବୁ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ଟପିବ ବୋଲି ଇଣ୍ଟରନ୍ୟାଶନାଲ ରେସ୍‌କ୍ୟୁ କମିଟି ମୁଖ୍ୟ ଡେଭିଡ୍‌ ମେଲିବେଣ୍ଡ୍‌ ସୂଚନା ଦେଇଛନ୍ତି। ଗରିବ ଦେଶଗୁଡ଼ିକୁ କରୋନା ମୁକାବିଲା ପାଇଁ ଖୁବ୍‌ କମ୍‌ ସମୟ ମିଳିଛି। ତେଣୁ ଏଠାରେ ବ୍ୟାପକ ଜନହାନୀ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ ୩୪ ଗରିବ ଦେଶ ତାଲିକା ପ୍ରକାଶ ପାଇଛି। ତାଲିକାରେ ଭାରତର ୩ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ ମ୍ୟାନ୍‌ମାର୍‌ର ନାମ ରହିଛି। ଏହି ତାଲିକାରେ ଆଫଗାନିସ୍ତାନ, ସିରିଆ, ୟେମେନ୍‌,କଙ୍ଗୋ ଆଦି ଦେଶର ନାମ ରହିଛି। ଆବଶ୍ୟକ ସ୍ବାସ୍ଥ୍ୟ ବ୍ୟବସ୍ଥା ଗ୍ରହଣ ନ କରାଗଲେ ଅଗାମୀ ଦିନରେ ୫୦ କୋଟି ଲୋକ କରୋନା ଦ୍ୱାରା ସଂକ୍ରମିତ ହେବେ। ସେହିପରି କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୩୨ ଲକ୍ଷରୁ ଅଧିକ ହେବ ବୋଲି ମେଲିବେଣ୍ଡ୍‌ କହିଛନ୍ତି।

Share