ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି। ପିଲାଦିନୁ ସେ ଖୁବ୍‌ ପଢ଼ାପ୍ରିୟ। ବର୍ତ୍ତମାନ ଏକ ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ମଧ୍ୟ। କିନ୍ତୁ ଆଶ୍ଚର୍ଯ୍ୟ କଥା ଯେ ଖେଳକୁଦ କରିବା ବୟସରେ ସେ ନିଜ ଉଦ୍ୟମରେ ଝୁମ୍ପୁଡି ବସ୍ତିରେ ଏକ ମାଗଣା ବେସରକାରୀ ସ୍କୁଲ୍‌ ଖୋଲି ସେଠାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତେବେ ଏ ପ୍ରୟାସ ଆରମ୍ଭ କରିବା ପୂର୍ବରୁ ସେ କିଛି ବ୍ୟତିକ୍ରମ ଦେଖିଥିଲେ, ଯାହା ତାଙ୍କ ଚପଳ ମନକୁ ଦୋହଲାଇ ଦେଇଥିଲା ଏବଂ ମାଗଣା ସ୍କୁଲ୍‌ଟିଏ ତିଆରି କରିବାକୁ ପଥ ପରିଷ୍କାର କରିଥିଲା। ପ୍ରକୃତରେ ଯେଉଁ ସ୍କୁଲ୍‌ରେ ସେ ପଢ଼ନ୍ତି, ସେଠାରେ ଅନେକ ପିଲା ପଢ଼ିବାକୁ ଇଚ୍ଛା କରି ମଧ୍ୟ ଅର୍ଥାଭାବ ଯୋଗୁଁ ପଛଘୁଞ୍ଚା ଦେଉଥିଲେ। ଆହୁରି ଅନେକ ପିଲା ପଢ଼ା ଛାଡ଼ି ଖେଳକୁଦରେ ସମୟ ନଷ୍ଟ କରୁଥିଲେ। ଶିକ୍ଷାର ଉପଯୋଗିତା ମଣିଷ ଜୀବନରେ କେତେ ଦରକାରୀ, ତାହାକୁ ସେ ଏ ପିଲାଙ୍କ ମନରେ ଭରିବାକୁ ଚାହୁଁଥିଲେ। ଏଣୁ ନିଜ ଜେଜେମା’ଙ୍କ ସହାୟତାରେ ଘରଟିଏ ନେଇ ତାକୁ ସ୍କୁଲ୍‌ ଆକାର ଦେଲେ। ପିଲାମାନଙ୍କୁ ଏକାଠି କରି ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଦୈନନ୍ଦିନ ପଢ଼ାଇଲେ। ଖରା, ବର୍ଷାକୁ ଖାତିର୍‌ ନକରି ସେ ନିଜ ଭବିଷ୍ୟତ ସାଙ୍ଗକୁ ଏହି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି। ଏବେ ତାଙ୍କ ସ୍କୁଲ୍‌ରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୩୦ଜଣ ଲିଓନାର୍ଡୋଙ୍କଠୁ ବୟସରେ ବଡ଼।

Share