‘ଗରିବ ଶ୍ରମିକଙ୍କୁ ପ୍ରଥମେ ଆଣ’: ବିଦେଶରୁ ଫେରିବେ ସହସ୍ରାଧିକ ଭାରତୀୟ

ନୂଆଦିଲ୍ଲୀ,୨୯ା୪: ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ବୈଦେଶିକ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନାବଦ୍ଧଭାବେ ଏହି ସହସ୍ରାଧିକ ଲୋକଙ୍କୁ ଅଣାଯିବା ଲାଗି ଯୋଜନା ଚୂଡ଼ାନ୍ତ ହୋଇଛି। ତେବେ ପ୍ରଥମେ ଗରିବ ଶ୍ରେଣୀର ଶ୍ରମିକମାନଙ୍କୁ ସ୍ବଦେଶକୁ ଅଣାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ସ୍ବତନ୍ତ୍ର ବିମାନରେ ଏମାନଙ୍କୁ ପ୍ରଥମେ ଟିକେଟ୍‌ ମିଳିବା ଦରକାର। ଏହା ପରେ ଛାତ୍ରୀଛାତ୍ରମାନଙ୍କୁ ଗୁରୁତ୍ୱ ଦିଆଯାଇ ନିଜ ଜନ୍ମମାଟିକୁ ଅଣାଯାଉ। ତା’ ପରେ ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଅଣାଯାଉ ବୋଲି ମୋଦି ମଙ୍ଗଳବାର କହିଛନ୍ତି।
୧୯୯୮ରେ ପରମାଣୁ ବୋମା ପରୀକ୍ଷଣ ବେଳେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସତ୍ତ୍ୱେ ବିଦେଶରେ ଥିବା ଗରିବ ଶ୍ରମିକମାନେ ଦେଶର ଆର୍ଥତ୍କ ସ୍ଥିତି ସୁଧାରରେ ସହଯୋଗ କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଏବେ କୋଭିଡ୍‌-୧୯ ବିଦେଶରେ ଥିବା ଭାରତୀୟ ଶ୍ରମିକଙ୍କୁ ଅସୁବିଧାରେ ପକାଇଛି। କଳ କାରଖାନା ବନ୍ଦ ହୋଇଯିବା ପରେ ଅନେକେ କାମ ହରାଇବା ସହ ଭୋକ ଉପାସରେ ରହି ଘରକୁ ଫେରିବାର ବାଟ ଦେଖୁଛନ୍ତି। ସେମାନଙ୍କ ଯତ୍ନ ନେବା ଲାଗି ଉପସାଗରୀୟ ଦେଶଗୁଡ଼ିକୁ ଅନୁରୋଧ କରାଯାଇଥିଲେ ହେଁ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁଏଇରେ ୩.୪ ନିୟୁତ, ସୌଦି ଆରବରେ ୨.୬ ନିୟୁତ, କୁଏତ୍‌, ଓମାନ୍‌, ବାହାରିନ୍‌ ଆଦି ରାଷ୍ଟ୍ରରେ ୨.୯ ନିୟୁତ ଭାରତୀୟ ରହୁଛନ୍ତି। ଉପସାଗରୀୟ ଦେଶରେ ମୋଟ ୧୨.୬ ନିୟୁତ ଭାରତୀୟ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି।
ସେହିଭଳି ବ୍ରିଟେନ, ଆମେରିକା, ରୁଷିଆ, କାନାଡ଼ା, ସିଙ୍ଗାପୁର, ଫିଲିପାଇନ୍ସ ଭଳି ଦେଶରେ ୧୫ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଫସି ରହିଛନ୍ତି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ଭାରତ ଅଣାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କୁ ସ୍ବଦେଶ ଅଣାଯିବା ପରେ ବିଭିନ୍ନ ରାଜ୍ୟରେ ସେମାନଙ୍କୁ ପ୍ରଥମେ ସ୍କ୍ରିନିଂ ଓ ପରେ ଆବଶ୍ୟକ ସ୍ଥଳେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି। ହେଲେ ପ୍ରଥମେ ରାଜ୍ୟଗୁଡ଼ିକ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଜରୁରୀ। ଆସିବା ପରେ ସେମାନଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସୁବିଧା କିମ୍ବା ହସ୍ପିଟାଲର ବ୍ୟବସ୍ଥା କରାଯିବା ଉଚିତ। ଏଥିଲାଗି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି।

Share