ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ଶନିବାର ହେଉଛି ମହାପ୍ରଭୁଙ୍କର ପବିତ୍ର ସୁନାବେଶ। ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇ ଶ୍ରୀଜୀଉମାନେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନ ୪ଟାରେ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହେବ। ଅପରାହ୍ନ ୪ରୁ ୫ଟା ମଧ୍ୟରେ ତିନି ଠାକୁରଙ୍କ ସୁନାବେଶ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ତେବେ ଶ୍ରୀଜୀଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ୍‌ ବଡ଼ଚଢ଼ାଉ ବେଶ ଅନ୍ୟତମ। ମହଣ ମହଣ ସ୍ବର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇଥାଆନ୍ତି ମହାପ୍ରଭୁ। ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଘାଗଡ଼ା ମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦି ପରିଧାନ କରିଥାନ୍ତି। ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣି, କାନ, ତଗଡ଼ି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି ଆଦି ପରିଧାନ କରିଥାଆନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରୀଟ ଆଦି ଅନେକ ସୁନା ଅଳଙ୍କାର ସହ ସ୍ବର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ ପରିଧାନ କରି ଭକ୍ତଙ୍କୁ ରଥ ଉପରେ ବଡ଼ଚଢ଼ାଉ ବେଶରେ ଦର୍ଶନ ଦେଇଥାଆନ୍ତି।

Share